ପୁଟିନ୍‌ଙ୍କୁ ରୋକିବା କ୍ଷମତା ଜାତିସଂଘର ବି ନାହିଁ, ବାଇଡେନ୍‌ ମଧ୍ୟ ଅସହାୟ…

ମସ୍କୋ, ୨୩।୨ : ୟୁକ୍ରେନ୍‌ର ଡୋନେସ୍କ୍‌ ଏବଂ ଲୁହାନସ୍କ୍‌ ସହରର କେତେକ ଅଞ୍ଚଳକୁ ରୁଷିଆ ସମର୍ଥିତ ବିଦ୍ରୋହୀ ନିଜ ଦଖଲକୁ ନେଇଛନ୍ତି। ଏହାପରେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଏସବୁ ଅଞ୍ଚଳକୁ ସ୍ବତନ୍ତ୍ର ଘୋଷଣା କରିଛନ୍ତି। ରୁଷିଆର ଏଭଳି ପଦକ୍ଷେପକୁ ଦୃଷ୍ଟିରେ ରଖି ଆମେରିକା ଏବଂ ଅନ୍ୟ ଦେଶଗୁଡିକ ପକ୍ଷରୁ କଟକଣା ଜାରି ଆରମ୍ଭ ହୋଇଛି। ପରିସ୍ଥିତି ଏପରି ହୋଇଛି ଯୁଦ୍ଧ ଯେକୌଣସି ସମୟରେ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ତେବେ ପୁଟିନ୍‌ଙ୍କୁ ରୋକିବାର କ୍ଷମତା ଜାତିସଂଘର ମଧ୍ୟ ନାହିଁ। ଏକ୍ଷେତ୍ରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ଅସହାୟ। ଜାତିସଂଘ ନିରାପତ୍ତା ପରିଷଦରେ ଆମେରିକା, ରୁଷିଆ, ଫ୍ରାନ୍ସ ଚାଇନା ଏବଂ ବ୍ରିଟେନ୍‌ ଆଦି ୫ ଦେଶ ସ୍ଥାୟୀ ସଦସ୍ୟ ରହିଛନ୍ତି। ଏହା ସହିତ ପରିଷଦରେ ୧୦ ଜଣ ଅସ୍ଥାୟୀ ସଦସ୍ୟ ଅଛନ୍ତି।

ପ୍ରତି ୨ ବର୍ଷରେ ଅସ୍ଥାୟୀ ସଦସ୍ୟଙ୍କୁ ନିରାପତ୍ତା ପରିଷଦକୁ ମନୋନୀତ କରାଯାଇଥାଏ। ୫ ସ୍ଥାୟୀ ସଦସ୍ୟଙ୍କ ପାଖରେ ଭିଟୋ ଅଧିକାର ରହିଛି।

ସମ୍ପ୍ରତି ରୁଷିଆ ନିରାପତ୍ତା ପରିଷଦର ଅଧ୍ୟକ୍ଷତା କରୁଛି। ଫଳରେ ଆମେରିକା, ବ୍ରିଟେନ୍‌ ଅବା ଫ୍ରାନ୍ସ୍‌ ପକ୍ଷରୁ ପରିଷଦରେ ରୁଷିଆ ବିରୋଧରେ କୌଣସି ପ୍ରସ୍ତାବ ଆଗତ ହେଲେ ଏହା ପାରିତ ହେବା ସମ୍ଭାବନା କମ୍‌। ଅପରପକ୍ଷରେ ଶାନ୍ତି ଏବଂ ସଞ୍ଜମତାର କଥା କହୁଥିବା ଚାଇନା ମଧ୍ୟ ରୁଷିଆକୁ ସମର୍ଥନ କରିବାର ଯଥେଷ୍ଟ ଆଶା ରହିଛି। ଫଳରେ ରୁଷିଆ କୌଣସି ବାଧା ବିନା ୟୁକ୍ରେନ୍‌ ଉପରେ ଆକ୍ରମଣ କରିପାରିବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

Share