ସ୍ଥାନାନ୍ତର ହେବ ୧ ନମ୍ବର ପରିବା ହାଟ

ଭୁବନେଶ୍ୱର,୧୦ା୨(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ୧ ନମ୍ବର ପରିବା ହାଟ ସ୍ଥାନାନ୍ତର ହେବ। ସହର ଉପକଣ୍ଠ ଭଗବାନପୁରକୁ ଏହା ସ୍ଥାନାନ୍ତରିତ ହେବ। ଏଥିପାଇଁ ସେଠାରେ ୧୦ ଏକର ଜମି ଚିହ୍ନଟ କରାଯାଇଛି। ପରିବା ହୋଲସେଲ ମାର୍କେଟ ପାଇଁ ସେଠାରେ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାକୁ ସୁବିଧା ଥିବାରୁ ତଥା ସହର ଭିତରୁ ଗହଳି କମାଇ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ବିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ବିଏମ୍‌ସିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ବସିଥିଲା।

ମାର୍କେଟ ସ୍ଥାନାନ୍ତର ନିଷ୍ପତ୍ତିକୁ ସ୍ବାଗତ କରିଛି ରାଜଧାନୀ ପରିବା ବ୍ୟବସାୟୀ ମହାସଂଘ। ୧୯୫୭ ମସିହାରୁ ୟୁନିଟ୍‌-୧ରେ ୪ ଏକର ଜାଗା ଉପରେ ଏହି ମାର୍କେଟଟି ଥିଲା। ଏବେ ଏଠାରେ ୪୯ ଜଣ ପରିବା ହୋଲ୍‌ସେଲ ବ୍ୟବସାୟୀ ଅଛନ୍ତି। ପ୍ରତିଦିନ ଏଠାକୁ ୨୦୦ ଟ୍ରକ ଯିବା ଆସିବା କରୁଛି। ତେବେ ଏଠାରେ ସ୍ଥାନ ଅଭାବରୁ ପରିବା ହୋଲସେଲ୍‌ ମାର୍କେଟକୁ ସ୍ଥାନାନ୍ତର କରିବା ଲାଗି ସଂଘ ପକ୍ଷରୁ ୨୦୦୭ରୁ ଦାବି ହୋଇ ଆସୁଥିଲା।

ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘର ସଭାପତି କବିରାଜ ସ୍ବାଇଁ କହିଛନ୍ତି, ନୂଆ ମାର୍କେଟରେ ୪୯ ଜଣ ବ୍ୟବସାୟୀଙ୍କ ପାଇଁ ଗୋଦାମ ଘର ବ୍ୟବସ୍ଥା କରାଯିବା ଦରକାର। ଏହାସହ ପାଣି, ବିଜୁଳି ଓ ସଡ଼କ ଭଳି ଅନ୍ୟ ଆନୁଷଙ୍ଗିକ ସୁବିଧା କଲେ ପରିବା ହୋଲସେଲ ବ୍ୟବସାୟୀ ସେଠାକୁ ସ୍ଥାନାନ୍ତର ହେବେ।