ଅନନ୍ୟ ପରମ୍ପରା: ତୃତୀୟାରେ ତିନିରଥଙ୍କ ମହାମେଳଣ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ):ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ, ତାହା ନୁହେଁ। ଏହା ହେଉଛି ଲୋକଙ୍କ ପର୍ବ। ଏହିଦିନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ତିନି ଠାକୁରଙ୍କ ସମ୍ମୁଖରେ ଏକତ୍ରିତ ହୁଅନ୍ତି। ଏକାଠି ରଥ ଟାଣନ୍ତି ଏବଂ ଭକ୍ତ ଓ ଭଗବାନ ଏକାକାର ହୋଇ ପଡ଼ନ୍ତି। ତେବେ ରଥଯାତ୍ରାକୁ ନେଇ ବରଗଡ଼ ସହରରେ ଏକ ଅନନ୍ୟ ପରମ୍ପରା ଶହଶହ ବର୍ଷ ପୂର୍ବରୁ ରହି ଆସିଛି। ଆଷାଢ଼ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରୁ ସହରର ବିଭିନ୍ନ ସ୍ଥାନରୁ ବାହାରିଥିବା ରଥ ଗୁଡ଼ିକର ମହାମେଳଣ ତୃତୀୟାରେ ତିଥିରେ ସ୍ଥାନୀୟ ହାଟପଦା ହୋଇ ଆସୁଛି। ଏହି ଦୃଷ୍ଟିରୁ ରଥଯାତ୍ରା ସମୟରେ ହାଟପଦା ପରିସର ହିଁ ସହରରେ ରଥଦାଣ୍ଡ ତଥା ବଡ଼ଦାଣ୍ଡ ପାଲଟିଯାଏ ବୋଲି ସ୍ଥାନୀୟ ବର୍ଷିୟାନ ନାଗରିକମାନେ କହନ୍ତି। ଏହି କ୍ରମରେ ଶୁକ୍ରବାର ସନ୍ଧ୍ୟାରେ ହାଟପଦାରେ ତିନିରଥର ମହାମେଳଣ ହୋଇଥିଲା। ତିନିରଥ ମଧ୍ୟରେ ସ୍ଥାନୀୟ କଲେଜ ରୋଡ୍‌ ରାଧାକୃଷ୍ଣ ମନ୍ଦିର, ଦାଶପଡ଼ା ରାଧାକୃଷ୍ଣ ମନ୍ଦିର ଏବଂ ତଳିପଡ଼ା ନୃସିଂହ ମନ୍ଦିରରୁ ବାହାରିଥିବା ରଥ ଗୁଡ଼ିକ ରହିଥିଲା। ଗୁରୁବାର ଦ୍ୱତୀୟା ତିଥିରେ ମନ୍ଦିରରୁ ବାହାରି ଲୀଳାମୟ ଠାକୁର ଶ୍ରୀଜଗନ୍ନାଥ ଏହି ତିନିରଥରେ ପୃଥକ୍‌ଭାବେ ରଥାରୁଢ଼ ହୋଇଥିଲେ। ରଥାରୁଢ଼ ହେବା ପରେ ଭକ୍ତମାନଙ୍କ ଜୟ ଜଗନ୍ନାଥ ଧ୍ୱନିରେ ରଥ ଗୁଡ଼ିକ ଅଗ୍ରସର ହୋଇଥିଲା। ଗୁରୁବାର କଲେଜ ରୋଡ୍‌ ରାଧାକୃଷ୍ଣ ମନ୍ଦିରରୁ ବାହାରିଥିବା ରଥ ସ୍ଥାନୀୟ ଶ୍ୟାମାକାଳୀ ମନ୍ଦିର, ଦାଶପଡ଼ା ରାଧାକୃଷ୍ଣ ମନ୍ଦିର ଏବଂ ତଳିପଡ଼ା ନୃସିଂହ ମନ୍ଦିରରୁ ବାହାରିଥିବା ରଥ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ ରାସ୍ତାପାର୍ଶ୍ୱରେ ରହିଥିବା ୟୁକୋ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଆସି ସେଠାରେ ରହିଥିଲା। ହଜାର ହଜାର ଭକ୍ତ ସେଠାରେ ଠାକୁରଙ୍କ ଦର୍ଶନ କରିଥିଲେ। ଅନ୍ୟପଟେ ଶୁକ୍ରବାର ସନ୍ଧ୍ୟାରେ ଉପରୋକ୍ତ ଗୁଡ଼ିକ ସେହି ସ୍ଥାନରୁ ହାଟପଦା ରଥଦାଣ୍ଡ ତଥା ବଡ଼ଦାଣ୍ଡ ଅଭିମୁଖେ ବାହାରିଥିଲା। ଏଥିରେ ବହୁସଂଖ୍ୟକ ଭକ୍ତମାନେ ସାମିଲ ହୋଇ ରଥ ଗୁଡ଼ିକୁ ଟାଣିଥିଲେ। ଆଗରେ ସମ୍ପ୍ରଦା, ଘଣ୍ଟବାଦ୍ୟ ସହିତ କୀର୍ତ୍ତନ ଚାଲିଥିଲା। ଏକ ସମୟରେ ହାଟପଦା ରଥଦାଣ୍ଡକୁ ଉପରୋକ୍ତ ତିନିରଥ ପହଞ୍ଚି ଥିଲେ ଏବଂ ସେତେବେଳେ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ହାଟପଦା ରଥଦାଣ୍ଡ ଓ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା। ତେବେ ରାତିରେ ରଥ ଗୁଡ଼ିକ ପୁଣି ମାଉସୀ ମା’ ମନ୍ଦିରକୁ ଫେରି ଯାଇଥିଲେ। ସେଠାରେ ୭ଦିନ ଧରି ମହାପ୍ରଭୁ ସପ୍ତ ଅବତର ଅର୍ଥାତ୍‌ ରାମ, ପର୍ଶୁରାମ, ଶ୍ରୀକୃଷ୍ଣ, ବୁଦ୍ଧ, ଜଗନ୍ନାଥ ଏବଂ କଲ୍‌କି ଅବତାରରେ ପୂଜା ପାଇବେ। ଏହାପରେ ପୁଣି ଦଶମୀ ନୁହେଁ, ଏହାର ଦିନକ ପରେ ଅର୍ଥତ୍‌ ଏକାଦଶୀ ତିଥିରେ ହାଟପଦା ରଥଦାଣ୍ଡରେ ଏହି ତିନିରଥଙ୍କ ମହାମେଳଣ ହେବ ଏବଂ ଦ୍ୱାଦଶୀ ତିଥିରେ ମହାପ୍ରଭୁ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ବରଗଡ଼ ରଥଯାତ୍ରାର ଏହି ଅନନ୍ୟ ପରମ୍ପରା କେବଳ ଧାର୍ମିକ କିମ୍ବା ଆଧ୍ୟାତ୍ମିକତା ନୁହେଁ, ଏକତାର ଡୋରିରେ ସଭିଁଙ୍କୁ ଦୀର୍ଘବର୍ଷ ଧରି ଏଭଳି ବାନ୍ଧି ଆସି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛି ବୋଲି ସ୍ଥାନୀୟ ବର୍ଷିୟାନ ନାଗରିକମାନେ ମତପ୍ରକାଶ କରଛନ୍ତି।
ସାମିଲ୍‌ ହେଲା ଶିଶୁଙ୍କ ରଥ
ହାଟପଦା ରଥଦାଣ୍ଡରେ ହୋଇ ଆସୁଥିବା ରଥ ମହାମେଳଣରେ ସହରର ନାଏକପଡ଼ା ଏବଂ ହାଟପଦା ନିକଟ ପଡ଼ାରୁ ବାହାରିଥିବା ଶିଶୁମାନଙ୍କ ରଥ ମଧ୍ୟ ସାମିଲ ହୋଇଥିଲା। ସ୍ଥାନୀୟ ଶିଶୁମାନେ ସେହି ରଥରେ ଠାକୁରଙ୍କୁ ରଥାରୁଢ଼ କରି ସେଠାକୁ ଟାଣି ଆଣିଥିଲେ। ଘଣ୍ଟବାଦ୍ୟ ମଧ୍ୟ ଶିଶୁମାନେ ବଜାଉଥିଲେ। ସେମାନଙ୍କ ମୁହଁରୁ ବାହାରୁଥିଲା ଜୟ ଜଗନ୍ନାଥ ଧ୍ୱନି। ହାଟପଦାରେ ଦୀର୍ଘବର୍ଷରୁ ଚାଲି ଆସୁଥିବା ରଥ ମହାମେଳଣ ଅଞ୍ଚଳର ଶିଶୁମାନଙ୍କ ମନରେ ମଧ୍ୟ ଏଭଳି ଭକ୍ତି ଓ ସଂହତିର ସକାରାତ୍ମକ ପ୍ରଭାବ ପକାଇ ଆସିଛି, ଯାହାକି ଆଗାମୀ ପୀଢ଼ି ପାଇଁ ଏକ ଭଲ ବାର୍ତ୍ତା ଦେଇ ଆସୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 

Share