Categories: ଖେଳ

ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଅନୁଗୋଳ ଅଫିସ, ୨୬ା୧୨ : ଅନୁଗୋଳ ଜିଲା କ୍ରିକେଟ ସଂଘର ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ ସର୍ବଭାରତୀୟ ଅନୁଗୋଳ କପ୍‌ କ୍ରିକେଟ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଅନୁଗୋଳ କ୍ରିକେଟ୍‌ କ୍ଲବକୁ ହରାଇ କଟକର ୟୁନିୟନ ସ୍ପୋର୍ଟିଂ ଟିମ୍‌ ଚାମ୍ପିୟନ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ସଦସ୍ୟ ତଥା ପୂର୍ବ ଦିଲ୍ଲୀର ଏମ୍‌ପି ଗୌତମ ଗମ୍ଭୀର ଯୋଗଦେଇଥିଲେ।

ସହରର କଦମ ପଡ଼ିଆରେ ଖେଳାଯାଇଥିବା ଏହି ହାଇ ଭୋଲଟେଜ ଫାଇନାଲ ମ୍ୟାଚରେ ଅନୁଗୋଳ କ୍ରିକେଟ କ୍ଲବ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ବିନିମୟରେ ୧୩୫ ରନ କରିଥିଲା। ଦଳ ପକ୍ଷରୁ ଦେବେନ୍ଦ୍ର କୁଅଁର ୫୭ ବଲ୍‌ରୁ ୮୧ ରନ୍‌ କରିଥିଲେ। ଜବାବରେ ୟୁନିୟନ ସ୍ପୋର୍ଟିଂ ୧୭.୫ ଓଭରରେ ୩ ଉଇକେଟ ହରାଇ ୧୩୮ ରନ ସଂଗ୍ରହ କରି ଚାମ୍ପିୟନ ହୋଇଥିଲା। ୬୨ ରନ କରିଥିବା ଚାମ୍ପିୟନ ଦଳର ଅରବିନ୍ଦ ସିଂହ ମ୍ୟାନ ଅଫ୍‌ ଦି ଟୁର୍ନାମେଣ୍ଟ ଏବଂ ୫୫ ରନ କରିଥିବା ଲିଳାଧର ପ୍ରଧାନ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଚାମ୍ପିୟନ ଦଳକୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ୧ ଲକ୍ଷ ଟଙ୍କା ସହ ଟ୍ରଫି ଓ ରନର୍ସ ଅପ୍‌ ଦଳକୁ ୭୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ର ସମ୍ପାଦକ ସଞ୍ଜୟ ବେହେରା, ଉପସଭାପତି ପଙ୍କଜ ଲୋଚନ ଦାସ, ଦୁଲାଲ ପ୍ରଧାନ, ଅନୁଗୋଳ ଜିଲା କ୍ରିକେଟ ସଂଘ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଫାଇନାଲ ମ୍ୟାଚର ମୁଖ୍ୟ ଆକର୍ଷଣ ଗୌତମ ଗମ୍ଭୀର ସ୍ବଳ୍ପ ସମୟ ପାଇଁ ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ ଦେଖିବାକୁ ପଡ଼ିଆରେ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

Share