ପ୍ରଚାରକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଝାରସୁଗୁଡ଼ା ଅଫିସ,୨୫।୫: ବ୍ରଜରାଜନଗର ଉପନିର୍ବାଚନକୁ ଆଉ ସପ୍ତାହେ ବାକି ଥିବାବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଏଥିରେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‌ ଭିକ୍ଷା କରୁଛନ୍ତି। ଭାଜପା ପ୍ରାର୍ଥିନୀ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ଜିତାଇବା ପାଇଁ କେନ୍ଦ୍ରମନ୍ତ୍ରୀ, ଏମ୍‌ପି, ବିଧାୟକ ଲାଗିପଡିଛନ୍ତି। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରଧାନ ସମ୍ବଲପୁରରୁ ସଡକ ପଥରେ ଆସି ରମ୍ପେଲା ବ୍ରିଜ୍‌ଦେଇ ଢୁନ୍ଢୁନ୍‌ ଛକରେ ପହଞ୍ଚତ୍ଥିଲେ। ସେଠାରୁ ସେ ଚାରପାଲି, ଖମାରଡିହି, ଦଲଗାଁ ଆଦି ଗ୍ରାମରେ ନିର୍ବାଚନ ପ୍ରଚାରକରି ଅଢାପଡା ଗ୍ରାମରେ ଥିବା ପୂର୍ବତନ ବିଧାୟକ ଜନନେତା ସ୍ବର୍ଗତ ପ୍ରସନ୍ନ ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବାଘମୁଣ୍ଡା ଗ୍ରାମରେ ଅନୁଷ୍ଠିତ ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ସମେତ ପ୍ରାର୍ଥିନୀ ପଣ୍ଡା, ଏମ୍‌ପି ସୁରେଶ ପୂଜାରୀ, ଏମ୍‌ପି ବସନ୍ତ ପଣ୍ଡା, ବିଧାୟକ ଶଙ୍କର ଓରାମ, ବିଧାୟକ ସୁବାସ ପାଣିଗ୍ରାହୀ, ବିଧାୟକ ଡ. ମୁକେଶ ମହାଲିଙ୍ଗ, ନାଉରୀ ନାୟକ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ଏମ୍‌ପି କନକ ବର୍ଦ୍ଧନ ସିଂଦେଓ ପ୍ରମୁଖ ଯୋଗଦେଇଥିଲେ। ସଭାକୁ ଜିଲା ସଭାପତି ମଙ୍ଗଳ ସାହୁ ପରିଚାଳନା କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ, ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଲଖନପୁର ବ୍ଲକ୍‌ବାସୀ ଦେଶ ଓ ରାଜ୍ୟ ଉଦ୍ଦେଶ୍ୟରେ ବହୁତ୍ୟାଗ କରିଛନ୍ତି। ଏତେ ତ୍ୟାଗ ପରେ ଅଞ୍ଚଳବାସୀ କ’ଣ ପାଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଏ ଅଞ୍ଚଳର ବିକାଶ ଜରୁରୀ ହୋଇପଡିଛି। ଏଥିପାଇଁ ନାରୀନେତ୍ରୀ ତଥା ପୂର୍ବତନ ବିଧାୟିକା ପଣ୍ଡାଙ୍କୁ ଜୟଯୁକ୍ତ କରାଇବା ଲାଗି ସେ ଭୋଟରଙ୍କୁ ଅନୁରୋଧ କରିଥିଲେ। ସନ୍ଧ୍ୟାରେ ଅନ୍ୟ ନେତାମାନଙ୍କ ସହ ସେ ବେଲପାହାଡ ଓ ବ୍ରଜରାଜନଗର ପୌରାଞ୍ଚଳରେ ରୋଡ୍‌ ଶୋ କରି ପ୍ରଚାର କରିଥିଲେ।