ପ୍ରଚାର ମଇଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ

ଧାମନଗର,୨୯ା୧୦ (ଡି.ଏନ୍‌.ଏ/ସ୍ବ.ପ୍ର.): ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଏନ୍‌ଏସି ଅଞ୍ଚଳରେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ରୋଡ୍‌ଶୋ’ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରଧାନ ପୂର୍ବାହ୍ନରେ ଯାଜପୁର ଜିଲା ବାଟେ ଆସି ଭଦ୍ରକ ଜିଲାର ପ୍ରବେଶ ଦ୍ୱାର ଷେଣ୍ଢପୁରସ୍ଥିତ ବୈତରଣୀ ନଦୀର ମୁକୁନ୍ଦଦେବ ସେତୁଠାରେ ପହଞ୍ଚିବା ପରେ ହଜାର ହଜାର ଦଳୀୟ କର୍ମୀ ସ୍ବାଗତ କରି ବିଶାଳ ବାଇକ୍‌ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ପରେ ସୋହଡ଼ା, ଖଡ଼ିପଦା, ଦୋବଲ ଓ ମୁସ୍ତାଫାପୁର ପଞ୍ଚାୟତର କାଳୀବଜାରଠାରେ ମା’ ଶ୍ୟାମାକାଳୀଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ। ଏହାପରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଧାମନଗର ମେଡିକାଲ ବଜାରଠାରୁ ବ୍ଲକ ଛକ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ। ପରେ ରାଧାବଲ୍ଲଭପୁର, ବୟାଙ୍ଗଡିହ ପଞ୍ଚାୟତ ଓ କୋଠାର ହୋଇ ଅସୁରାଳି ଯାଇଥିଲେ। ଲୋକଙ୍କ ଆଶୀର୍ବାଦ ସୂରଜଙ୍କ ଭଳି ଜଣେ ଯୁବ ନେତୃତ୍ୱକୁ ମାଟି ମା’ର ସେବା କରିବାର ସୁଯୋଗ ଦେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ପ୍ରକାଶ କରିଥିଲେ। କଳା ଟଙ୍କା ଲୋଭର ବଶବର୍ତ୍ତୀ ନ ହୋଇ ସ୍ବାଭିମାନୀ ଧାମନଗର ଭୋଟର ସୂର୍ଯ୍ୟବଂଶୀଙ୍କୁ ଜିତାଇବାକୁ ସେ ଅନୁରୋଧ କରିଛନ୍ତି।