Categories: ଜାତୀୟ

ଅକ୍ଟୋବର ୧୫ରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୧ ।୧୦: କରୋନା ମହାମାରୀ ଯୋଗୁ ପ୍ରାୟ ୬ ମାସ ହେବ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ହେଲେ ଜରୁରୀ ପରୀକ୍ଷା ପାଇଁ କିଛି ଶିକ୍ଷାନୁଷ୍ଠାନକୁ ଖୋଲି ଦିଆଯାଇଛି । ଏବେ ଦେଶରେ କରୋନା ମହାମାରୀ ପିକ୍‌ରେ ଥିବା ବେଳେ ସ୍କୁଲ ଖୋଲିବାକୁ ନେଇ ନାନା ଆଶା ଆଶଙ୍କା ଦେଖା ଦେଇଛି । ଗୋଟିଏ ପଟେ ପିଲା ଅନ୍‌ଲାଇନରେ ପାଠ ପଢୁଥିବା ବେଳେ ଏମିତି ସମ୍ପୂର୍ଣ୍ଣ ପାଠ୍ୟକ୍ରମକୁ ଶେଷ ପରାଯାଇ ପାରିବ ନାହିଁ ବୋଲି ମଧ୍ୟ ସନ୍ଦେହ ପ୍ରକାଶ କରାଯାଉଛି । ଇତିମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ଗୁରୁବାର ସମସ୍ତ ରାଜ୍ୟକୁ ଅକ୍ଟୋବର ୧୫ରୁ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି । ହେଲେ ଶିକ୍ଷକ ଓ ଅଭିଭାବକଙ୍କ ପରାମର୍ଶ କ୍ରମେ ସ୍କୁଲ ଖୋଲାଯାଉ ବୋଲି କୁହାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ସ୍ୱାଗତ କରିଛନ୍ତି । ସୂଚନାଯୋଗ୍ୟ, କରୋନା ମହାମାରୀ ଏବେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ କେତେକ ରାଜ୍ୟରେ ଏହା ଅକ୍ଟୋବର ଓ ନଭେମ୍ବରରେ ଅଣାୟତ୍ତ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏବେ ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲକୁ ଛାଡିବାକୁ ରାଜି ହେଉ ନ ଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତଣାଳୟର ଏହି ନିଷ୍ପତ୍ତି ପରେ କିଛି ରାଜ୍ୟରେ ସ୍କୁଲ ଅକ୍ଟୋବର ୧୫ରୁ ଖୋଲି ନ ପାରେ ବୋଲି ଆଶଙ୍କା କରାଯାଉଛି ।

Share