କୋଭିଡ-୧୯ରୁ ସୁସ୍ଥ ହୋଇଛନ୍ତି କି? ଦିନଚର୍ଯ୍ୟା ପ୍ରତି ହୁଅନ୍ତୁ ଯତ୍ନବାନ, ଏପରି ରଖନ୍ତୁ ନିଜ ସ୍ବାସ୍ଥ୍ୟର ଯତ୍ନ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଏସବୁ ଭିତରେ ଅଧିକାଂଶ ଲୋକ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରୁଛନ୍ତି। ହେଲେ ସୁସ୍ଥ ହୋଇଥିଲେ ହେଁ ରୋଗୀଙ୍କ ଦେହରେ ଅନ୍ୟାନ୍ୟ ଅସୁବିଧା ପରିଲକ୍ଷିତ ହେଉଛି। ସେମାନଙ୍କ ବିଭିନ୍ନ ଅଙ୍ଗ ଖରାପ ହେବା ସହ ଦୁର୍ବଳ ଅନୁଭବ କରୁଥିବା କୁହାଯାଉଛି।ଏଣୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ-୧୯ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପାଇଁ ପ୍ରୋଟୋକଲ୍‌ ଜାରି କରାଯାଇଛି। ଏଥିରେ ସଂକ୍ରମଣରୁ ଆରୋଗ୍ୟ ଲାଭ କରିବା ପରେ ଲୋକେ କିଭଳି ନିଜର ଯତ୍ନ ନେବେ ସେ ବିଷୟରେ କୁହାଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ:
-କରୋନାରୁ ସୁସ୍ଥ ହେବା ପରେ ରୋଗୀମାନଙ୍କ ଦୀନଚର୍ଯ୍ୟାରେ ପ୍ରାତଃଭ୍ରମଣ, ଯୋଗ ଆଦି ସାମିଲ କରନ୍ତୁ।

-ଏହାଛଡ଼ା ଖାଦ୍ୟପେୟରେ ଚ୍ୟବନପ୍ରାସ, ହଳଦୀ ମିଶା କ୍ଷୀର, ଗିଲୋୟ ପାଉଡର, ଅଶ୍ୱଗନ୍ଧା ଭଳି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ପଦାର୍ଥ ସାମିଲ କରନ୍ତୁ।

-ପ୍ରତ୍ୟେହ ଗରମ ପାଣିରେ କୁଳି କରନ୍ତୁ। ଏହାଛଡ଼ା ବାମ୍ଫ ନିଅନ୍ତୁ। ସନ୍ତୁଳିତ ଆହାର ସେବନ କରନ୍ତୁ।

-ଆୟୁଷ ଔଷଧ ମଧ୍ୟ ସେବନ କରନ୍ତୁ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

-ପ୍ରତ୍ୟେହ ପ୍ରାଣାୟାମ, ଯୋଗାସନ ଏବଂ ଧ୍ୟାନ କରନ୍ତୁ। ସକାଳେ ନଚେତ ସନ୍ଧ୍ୟାରେ କିଛି ସମୟ ଚଲାବୁଲା କରନ୍ତୁ।

ଏହାଛଡ଼ା ଲୋକମାନଙ୍କୁ ମାସ୍କ, ହ୍ୟାଣ୍ଡ ସାନିଟାଇଜର ଏବଂ ସାମାଜିକ ଦୂରତା ଆଦି ନିୟମ କଡ଼ାକଡ଼ି ପାଳନ କରନ୍ତୁ। ହାଲକା ଗରମ ପାଣି ପିଅନ୍ତୁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।