Categories: ଜାତୀୟ

ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ଭବ

ନୂଆଦିଲ୍ଲୀ,୧୪ ।୧: ଚଳିତ ମାସ ଶେଷ ସପ୍ତାହରେ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ । ଏହି ସମ୍ପ୍ରାରଣକୁ ନେଇ ବିଚାର ବିମର୍ଶ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କେତେଜଣ ସହଯୋଗୀ ଦଳର ନେତାଙ୍କ ସହ ସାକ୍ଷାତ୍ ପରେ ୮ ଜାନୁୟାରୀ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁଗାମୀଙ୍କ ମାରାଥନ ବୈଠକ ହୋଇଛି ।

କିଛି ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ସଙ୍ଗଠନର ମହାସଚିବ ବିଏଲ ସନ୍ତୋଷ ଭାଗ ନେଇଥିଲେ । ସୂଚନା ଅନୁଯାୟୀ, ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ମଜଭୁତ ପ୍ରସ୍ତୁତି ଲାଗି କେବଳ କେନ୍ଦ୍ର ମନ୍ତ୍ରିମଣ୍ଡଳ ନୁହେଁ ରାଜ୍ୟ ଓ କେନ୍ଦ୍ରୀୟ ସଙ୍ଗଠନରେ ବି ପରିବର୍ତ୍ତନ କରାଯିବ । ପରିବର୍ତ୍ତନର ଏହି ପ୍ରକ୍ରିୟା କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରୁୁ ଆରମ୍ଭ ହେବ ।
ଏହା ପୂର୍ବରୁ ନଡ୍ଡାଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କରାଯିବ । କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣ ପରେ , ରାଜ୍ୟ ଗୁଡିକର ସଙ୍ଗଠନରେ ପରିବର୍ତ୍ତନ, ଆବଶ୍ୟକୀୟ ନେତୃତ୍ୱ ପରିବର୍ତ୍ତନ ଏବଂ କେନ୍ଦ୍ରୀୟ ସଙ୍ଗଠନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ମଞ୍ଜୁରୀ ଦିଆଯିବ । ଫେବୃୟାରୀ ୧୫ ସୁଦ୍ଧା ସମସ୍ତ ପ୍ରକାର ପରିବର୍ତ୍ତନ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି ।

Share