ଆରମ୍ଭରୁ ଅଚଳ ଆଲୋକୀକରଣ

ଢେଙ୍କାନାଳ ଅଫିସ, ୪ ।୨ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ପ୍ରସିଦ୍ଧ ଶୈବକ୍ଷେତ୍ର କପିଳାସରେ ଫେଲ୍‌ ମାରିଛି ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥା। ୨୦୨୧ ମାର୍ଚ୍ଚ ୧୧ ଜାଗରଯାତ୍ରା ଅବସରରେ ୧୪ ବିଦ୍ୟୁତ୍‌ ଖୁଣ୍ଟରେ ଏଲ୍‌ଇଡି ଲାଇଟ୍‌ ଲଗାଯାଇଥିବାବେଳେ ଏହା ଜଳୁନାହିଁ। ଫଳରେ କପିଳାସ ବିକାଶ ପାଇଁ ଦେବୋତ୍ତର ବିଭାଗ ଓ ପ୍ରଶାସନ ପକ୍ଷରୁ କରାଯାଇଥିବା ଉଦ୍ୟମ କେବଳ ଲୋକଦେଖାଣିଆ ବୋଲି ସାଧାରଣରେ ଆଲୋଚନା ହେଉଛି ା
କପିଳାସ ପୀଠରେ ଆଖି ଝଲସାଇ ଦେବା ଭଳି ଆଲୋକୀକରଣ କରାଯିବ। ପର୍ଯ୍ୟଟକମାନେ ସୁଖଦ ଅନୁଭୂତି ସାଉଁଟିବେ। ଜାଗର ଯାତ୍ରାରେ ଶ୍ରଦ୍ଧାଳୁ ଭୋଗୁଥିବା ସମସ୍ୟାର ସମାଧାନ ହେବ। ଏଭଳି ମହତ୍‌ ଉଦ୍ଦେଶ୍ୟ ରଖି ଗତବର୍ଷ ମାର୍ଚ୍ଚ ୨୧ରେ ପୀଠ ନିକଟ ପୂର୍ତ୍ତ ବିଭାଗ ଡାକବଙ୍ଗଳା-ନାରାୟଣ ମନ୍ଦିର-କାଶୀ ବିଶ୍ୱନାଥ ମନ୍ଦିର-ଧର୍ମଶାଳାକୁ ସଂଯୋଗ କରୁଥିବା ରାସ୍ତାରେ ୧୪ ଖୁଣ୍ଟ ପୋତାଯାଇ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଥିଲା। ତେବେ ଦେବୋତ୍ତର ବିଭାଗ ପକ୍ଷରୁ ବିଦ୍ୟୁତ୍‌ ବିଭାଗକୁ ଏ ବାବଦରେ ୨୫ ହଜାର ଟଙ୍କା ସିକ୍ୟୁରିଟି ଡିପୋଜିଟ୍‌ ଦିଆଯାଇ ନ ଥିବାରୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନ ଥିଲା। ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯିବା ପରେ ଗତ ସପ୍ତାହରେ ସିକ୍ୟୁରିଟି ଟଙ୍କା ଦିଆଯାଇଛି। ତଥାପି କେଉଁ କାରଣରୁ ଲାଇଟ୍‌ ଜଳୁନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ମୁଖଶାଳା ବାହାରେ ଥିବା ବିଦ୍ୟୁତ୍‌ ଖୁଣ୍ଟରେ ମଧ୍ୟ ଆଲୋକ ଜଳୁନାହିଁ। ଫଳରେ ଅନ୍ଧକାରମୟ ପରିବେଶ ସୃଷ୍ଟି ହେଉଛି। ଜିଲା ଦେବୋତ୍ତର ବିଭାଗ, ପ୍ରଶାସନ ଏବଂ ବିଦ୍ୟୁତ୍‌ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଜନହିତକର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁ ନ ଥିବା ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ଟିକେଶ୍ୱର ପ୍ରଧାନ କୁହନ୍ତି, ଦେବୋତ୍ତର ବିଭାଗ ସିକ୍ୟୁରିଟି ବାବଦ ଟଙ୍କା ଦାଖଲ କରି ନ ଥିଲା। ତତ୍କାଳୀନ ଜିଲାପାଳ କହିବା ପରେ ସାମୟିକ ଭାବେ ଆଲୋକ ସଂଯୋଗ ଦିଆଯାଇଥିଲା। ନିକଟରେ ସିକ୍ୟୁରିଟି ଟଙ୍କା ଦାଖଲ କରାଯାଇଥିବା ଶୁଣିବାକୁ ମିଳୁଛି। ନିର୍ବାହୀ ଯନ୍ତ୍ରୀଙ୍କ ନିକଟରୁ ଏମ୍‌ଆରଟି ବିଭାଗକୁ ନୋଟିସ୍‌ ଆସିବା ପରେ ବିଦ୍ୟୁତ୍‌ ସଂଯୋଗ ଦିଆଯିବ। ଏ ସଂକ୍ରାନ୍ତରେ ଉପଜିଲାପାଳ ତଥା ନିକଟରେ ଜିଲା ଦେବୋତ୍ତର ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିବା ସ୍ନିଗ୍ଧାରାଣୀ ଧଳ କୁହନ୍ତି, ସେ ଗୋଟିଏ ଦିନ ହେଲା ଦାୟିତ୍ୱ ନେଇଛନ୍ତି। ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ।