ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ

ନିଆଳି,୩।୪(ଡି.ଏନ.ଏ.): କଟକ ଜିଲା ନିଆଳି ଅଞ୍ଚଳରେ ପୁଣି ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଗୁରୁବାର ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ନିଆଳି ବ୍ଲକ ଅନ୍ତର୍ଗତ ତିହୁଡି ପଞ୍ଚୟତ ବାଘମରା ଗ୍ରାମର ବିରଞ୍ଚତ୍ ଦାସଙ୍କ ଗୁହାଳରେ ଥିବା ୧୦ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଗୁରୁତର ହୋଇଛନ୍ତି। ଶୁକ୍ରବାର ସକାଳେ ଖବରପାଇ ଜଙ୍ଗଲ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା, କଟକ ଏସ୍‌ସିଏଫ୍‌ ଓ ଫୁଲନଖରା ରେଞ୍ଜର ରବୀନ୍ଦ୍ର କୁମାର ନାୟକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ପଣ୍ଡା କହିଛନ୍ତି। ପ୍ରାଣୀମାନଙ୍କ ସୁରକ୍ଷା ପାଇଁ ରାତ୍ରି ପାଟ୍ରୋଲିଂ ହେବ ବୋଲି ସେ ସୂଚନା ଦେଇଛନ୍ତି।
ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ମେଣ୍ଢାପାଳନ କରୁଥିବା ଚାଷୀମାନେ ଆତଙ୍କିତ ହୋଇପଡିଛନ୍ତି। ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଅଜଣା ଜନ୍ତୁକୁ ଧରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।
ନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ମେଣ୍ଢା ପାଳନ କରିଥିବା ଚାଷୀମାନେ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ୨ ବର୍ଷ ତଳେ ଉକ୍ତ ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣରେ ବହୁସଂଖ୍ୟକ ମେଣ୍ଢାଙ୍କ ମୃତ୍ୟୁ ଘଟିଥିଲା। ଏଥିପାଇଁ ମେଣ୍ଢା ପାଳନ କରିଥିବା ଚାଷୀମାନଙ୍କୁ ବହୁ କ୍ଷତି ସହିବାକୁ ପଡିଥିଲା।