ପୂରଣ ହୋଇପାରୁନି ପ୍ରତିଶ୍ରୁତି

ନୂଆଗାଁ,୧୩ା୮(ବିଜୟ ତ୍ରିପାଠୀ )ପୂରଣ ହୋଇପାରୁନି ପ୍ରତିଶ୍ରୁତି। ଅସୁବିଧା ଭୋଗୁଛନ୍ତି ଲୋକେ। ସୁନ୍ଦରଗଡ଼ ଜିଲା ନୂଆଗଁା ଆଦିବାସୀ ଅଧ୍ୟୁଷିତ ବ୍ଲକ ପ୍ରତି ଅଣଦେଖା କରୁଛନ୍ତି ସରକାର ଓ ପ୍ରଶାସନ। ବ୍ଲକର ୨୦ ପଞ୍ଚାୟତର ଲୋକେ ଆଜି ପ୍ରଶ୍ନ କରୁଛନ୍ତି କୁଆଡ଼େ ଗଲା ତହସିଲ କାର୍ଯ୍ୟାଳୟ, ଫାଣ୍ଡିରୁ ଥାନାର ମାନ୍ୟତା ଦେବା ପ୍ରତିଶ୍ରୁତି। ଏପରିକି ପୁରୁଣାପାଣିରେ ଥିବା ଖଣି ପୁନରୁଦ୍ଧାର ପ୍ରସ୍ତାବିତ ସିମେଣ୍ଟ କାରଖାନା ନିର୍ମାଣ କେବଳ ପ୍ରତିଶ୍ରୁତିରେ ସୀମିତ ରହିଯାଇଛି l ଉକ୍ତ ପ୍ରସଙ୍ଗ ଆଜିର ନୁହେଁ, ବିଗତ ଅନେକ ବର୍ଷ ହେଲା ଏହି ଦାବି ହୋଇ ଆସୁଛି l ହେଲେ ଏଥିପ୍ରତି କାହାର ନଜର ପଡ଼ୁନାହିଁ। ଫଳରେ ସାଧାରଣ ଲୋକେ ସମସ୍ୟା ଭୋଗୁଛନ୍ତି। ନୂଆଗଁା ବ୍ଲକରେ ତହସିଲ, ଥାନା, କାରଖାନା କିଛି ହୋଇପାରୁନାହିଁ। ଜିଲାର ୧୭ ବ୍ଲକ ମଧ୍ୟରୁ ୧୬ ବ୍ଲକରେ ତହସିଲ କାର୍ଯ୍ୟାଳୟ କରାଗଲା। ହେଲେ ନୂଆଗାଁ ବ୍ଲକ ଏଥିରୁ ବାଦ୍‌ ପଡ଼ିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ବ୍ଲକରେ ତହସିଲ କାର୍ଯ୍ୟାଳୟ ଖୋଲାଯିବା ନେଇ ଘୋଷଣା ସତ୍ତ୍ୱେ ନୂଆଗାଁ ବ୍ଲକ ପ୍ରତି ଆଣଦେଖା କରାଯାଉଛି। ଏହି ବ୍ଲକର ୨୦ ପଞ୍ଚାୟତରେ ବସବାସ କରୁଥିବା ଲୋକେ ବୀରମିତ୍ରପୁର ତହସିଲ କାର୍ଯ୍ୟାଳୟ ଉପରେ ନିର୍ଭର କରିଥାନ୍ତି। ବୀରମିତ୍ରପୁର ତହସିଲଠାରୁ ଅଧିକାଂଶ ଗ୍ରାମର ଦୂରତା ୩୦ ରୁ ୪୦ କି.ମି. ହେବ l ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଶାସକ ଦଳର ନେତାଙ୍କଠାରୁ ଆରମ୍ଭକରି ବିରୋଧୀ ଦଳର ନେତାମାନେ ନୂଆଗାଁରେ ତହସିଲ କାର୍ଯ୍ୟାଳୟ ଖୋଲିବା ନେଇ ଦାବି ଉପସ୍ଥାପନ କରି ଆସୁଛନ୍ତି, ହେଲେ ଫଳ ଶୂନ l ସେହିଭଳି ନୂଆଗାଁ ଫାଣ୍ଡିକୁ ଥାନାର ମାନ୍ୟତା ଦିଆଯିବ ବୋଲି ୨୦୧୩ ମେ ୨୫ରେ ତତ୍କାଳୀନ ଆଇଜି ଆର୍‌. କେ. ଶର୍ମା କହିଥିଲେ l ହେଲେ ଫାଣ୍ଡି ଥାନାର ମାନ୍ୟତା ପାଇଲାନାହିଁ l ପୁରୁଣାପାଣି ଚୂନପଥର ଖଣି ଯାହାକି ୨୦୦୧ରୁ ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଛି l ସେଠାରେ କୋଟି କୋଟି ଟଙ୍କାର ଯନ୍ତ୍ର ଖତ ଖାଉଛି l ସେଲ୍‌ ଦ୍ୱାରା ପରିଚାଳିତ ସ୍ବାସ୍ଥ୍ୟ କେନ୍ଦ୍ର,ସ୍କୁଲ ସବୁ ବନ୍ଦ l ସରକାରଙ୍କ ପକ୍ଷରୁ ବହୁ ପ୍ରତିଶ୍ରୁତି ମିଳିଲା କି ଚୂନପଥର ଖଣିର ପୁନରୁଦ୍ଧାର ହେବ ଓ ସେଠାରେ ସିମେଣ୍ଟ କାରଖାନା କରାଯିବ l ହେଲେ ଏ ସବୁ କେବଳ ପ୍ରତିଶ୍ରୁତିରେ ସୀମିତ ରହିଲା l