Categories: ଖେଳ

ଦୁର୍ଦ୍ଦିନରେ ସଚିନ, କୋହଲିଙ୍କ ବ୍ୟାଟ୍‌ ପ୍ରସ୍ତୁତକାରୀ

ନୂଆଦିଲ୍ଲୀ,୨୧।୮: କେତେକ ଭାରତୀୟ ତାରକା କ୍ରିକେଟରଙ୍କ ପାଇଁ ବ୍ୟାଟ ତିଆରି କରିଥିବା ବ୍ୟକ୍ତି ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି। ସେ ହେଉଛନ୍ତି ଆଶ୍ରଫ୍‌ ଚୌଧୁରୀ। କ୍ରିକେଟ ଆଇକନ୍‌ ସଚିନ ତେନ୍ଦୁଲକର ଓ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ବ୍ୟାଟ ତିଆରି କରିଥିବା ଆଶ୍ରଫ୍‌ ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌, ଦକ୍ଷିଣ ଆଫ୍ରିକାର ଫାଫ୍‌ ଡୁପ୍ଲେସି ଓ ଓ୍ବେଷ୍ଟଇଣ୍ଡିଜ୍‌ ଧୂଆଁଧାର ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ ଏବଂ କିରନ ପୋଲାର୍ଡଙ୍କ ବ୍ୟାଟ୍‌ ମରାମତି କରିଛନ୍ତି। ସେ ବ୍ୟାଟ୍ସମ୍ୟାନଙ୍କ ସପୋର୍ଟ ଷ୍ଟାଫ୍‌ ବିବେଚିତ ହେଉଥିଲେ। ଭଙ୍ଗା ବ୍ୟାଟ୍‌କୁ ସଜାଡିବା ସହ ତାହାକୁ ପୁଣିଥରେ ଖେଳିବା ପାଇଁ ସମ୍ପୂର୍ଣ୍ଣ ରୂପେ ଠିକ୍‌ କରୁଥିଲେ। ବ୍ୟାଟ୍ସମ୍ୟାନଙ୍କ ସୁବିଧା ଅନୁଯାୟୀ ସେ ବ୍ୟାଟ୍‌ଗୁଡିକର ଓଜନ କମାଇବା ସହ ହ୍ୟାଣ୍ଡଲର ମୋଟେଇ ଓ ଲମ୍ବ କମାଇ ଆଶ୍ରଫ୍‌ ବେଶ୍‌ ପ୍ରଶଂସା ସାଉଁଟିଥିଲେ।
ମୁମ୍ବାଇର ମେଟ୍ରୋ ସିନେମା ଆଗରେ ଆଶ୍ରଫ୍‌ଙ୍କ ସ୍ପୋଟର୍‌ସଗୁଡ୍‌ ଦୋକାନ ରହିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଓ ଅନ୍ତର୍ଜାତୀୟ ମ୍ୟାଚ୍‌ ଅବସରରେ ଆଶ୍ରଫ୍‌ ଏକ ବଡ଼ କ୍ରିକେଟ କିଟ୍‌ ବ୍ୟାଗ୍‌ କାନ୍ଧରେ ପକାଇ ନିଜର ଉପସ୍ଥିତି ଜାହିର କରିଥାନ୍ତି। ଏହି କିଟ୍‌ ବ୍ୟାଗ୍‌ରେ ଏକାଧିକ ବ୍ୟାଟ୍‌ ଓ ବ୍ୟାଟ୍‌ ଗ୍ରିପ୍ସ ଦେଖିବାକୁ ମିଳିଥାଏ।
ଗତ କେତେ ସପ୍ତାହରେ ଆଶ୍ରଫ୍‌ ଅସୁସ୍ଥ ହୋଇପଡିବାରୁ ସବରବନ ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେ କୋଭିଡ୍‌-୧୯ ସଂକ୍ରମଣର ଶିକାର ହୋଇ ନାହାନ୍ତି। କିଡ୍‌ନୀ ଷ୍ଟୋନ୍‌ ଓ ଅନ୍ୟ କେତେକ ରୋଗର ସେ ଶିକାର ହୋଇଛନ୍ତି। ଆଶ୍ରଫ୍‌ଙ୍କୁ ଗତ ୧୫ ବର୍ଷ ଧରି ଜାଣିଥିବା ପ୍ରଶାନ୍ତ ଜେଠମାଳିନୀ ନାମକ ଜଣେ ତାଙ୍କର ଶୁଭଚିନ୍ତକ ତାଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରିବା ନେଇ ପ୍ରୟାସ ଜାରି ରଖିଛନ୍ତି। ଆଶ୍ରଫ୍‌ଙ୍କ ଅବସ୍ଥା ଏବେ ଭଲ ନାହିଁ। ତାଙ୍କର କିଡ୍‌ନୀ ଷ୍ଟୋନ୍‌ ଜନିତ କେତେକ ସମସ୍ୟା ରହିଛି। କୋଭିଡ୍‌-୧୯ ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ଫଳରେ କ୍ରିକେଟ ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇଯାଇଛି ଓ ତାଙ୍କର ବ୍ୟବସାୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ତାଙ୍କ ପାଖରେ ଯାହା ଅର୍ଥ ଥିଲା ତାହା ଶେଷ ହୋଇଛି ବୋଲି ଜେଠମାଳିନୀ କହିଛନ୍ତି। ଆମେ ୨ ଲକ୍ଷ ଟଙ୍କା ଯୋଗାଡ କରିଛୁ। ତେବେ ଭବିଷ୍ୟତ ପାଇଁ ଆଉ କିଛି ଅର୍ଥର ଆବଶ୍ୟକତା ରହିଛି।
୧୯୨୦ ତାଙ୍କ ପରିବାର ତାଙ୍କ ପରିବାର ମୁମ୍ବାଇରେ ରହିଆସୁଛନ୍ତି। ସେବେଠାରୁ ଏମ୍‌. ଆଶ୍ରଫ୍‌ ବ୍ରୋଜ୍‌ ନାମକ ଏକ ଛୋଟ ଦୋକାନର ମାଲିକ ଭାବେ ସେ ବ୍ୟବସାୟ କରିଆସୁଛନ୍ତି। ଲକ୍‌ଡାଉନ୍‌ କାରଣରୁ ବ୍ୟବସାୟ ପ୍ରଭାବିତ ହୋଇଥିଲା। ଦୁଇମାସ ତଳେ ବଡ଼ଭାଇଙ୍କ ପରଲୋକ ହେବା ଫଳରେ ପରିସ୍ଥିତି ଆହୁରି ଖରାପ ହୋଇଛି। ଆଶ୍ରଫ ବିନା ମୂଲ୍ୟରେ ବହୁ ଖେଳାଳିଙ୍କୁ ସାହାଯ୍ୟ କରିଥିଲେ। ୨୦୧୬ରେ ମୁମ୍ବାଇରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯାଇଥିଲା। ସମ୍ପୂର୍ଣ୍ଣ ଓ୍ବେଷ୍ଟଇଣ୍ଡିଜ ଦଳକୁ ଆଶ୍ରଫ୍‌ ୧୬ଟି ବ୍ୟାଟ୍‌ ପ୍ରଦାନ କରିଥିଲେ। ସେତେବେଳେ ଅର୍ଥ ପାଇଁ ଓ୍ବେଷ୍ଟଇଣ୍ଡିଜ ବୋର୍ଡ ଓ ଖେଳାଳିଙ୍କ ମଧ୍ୟ ମତପାର୍ଥକ୍ୟ ଦେଖାଦେଇଥିଲା। ସେ ଏହାକୁ ହୃଦୟଙ୍ଗମ କରି ବ୍ୟାଟ୍‌ ଡୋନେଟ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ।
ଏବେ କ୍ରିକେଟ ଖେଳାଯାଉନି। ଆଇପିଏଲ୍‌ ବିଦେଶରେ ଖେଳାଯିବ। ତେଣୁ ଆଉ କେହି ବ୍ୟାଟ୍‌ ଖୋଜୁନାହାନ୍ତି। ତେଣୁ ଆଶ୍ରଫ୍‌ଙ୍କ ପାଖରେ ଆଉ କାମ ନାହିଁ। କିନ୍ତୁ ଏପର୍ଯ୍ୟନ୍ତ କାହାଠାରୁ ସାହାଯ୍ୟ ମାଗି ନାହାନ୍ତି। ତାଙ୍କଠାରୁ ସାହାଯ୍ୟ ପାଇଥିବା କ୍ରିକେଟରମାନେ ତାଙ୍କର ଏହି ଦୁର୍ଦ୍ଦିନରେ ସାହାଯ୍ୟ କରିବାକୁ ଆଗେଇ ଆସିବା ଦରକାର ବୋଲି ଜେଠମାଳିନୀ କହିଛନ୍ତି।

Share