Categories: ଖେଳ

କୋହଲିଙ୍କୁ ଖାଉଛି ଚିନ୍ତା: କହିଲେ, ଆଶା କରୁଛି ଏମିତି ନ ହେଉ..

ଦୁବାଇ,୧୪।୯: କରୋନା କାରଣରୁ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟର ସ୍ଥଗିତାଦେଶକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ସେ ଆଶା କରିଛନ୍ତି ଯେ, ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୧) ବାୟୋ-ବବଲ(ସୁରକ୍ଷିତ ପରିବେଶ) ଆହୁରି ଶକ୍ତିଶାଳୀ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଦଳର ନେତୃତ୍ୱ ନେଇଥିବା କୋହଲି କରୋନାକୁ ନେଇ ଚିନ୍ତାରେ ଅଛନ୍ତି। ଦଳର ସପୋର୍ଟ ଷ୍ଟାଫ୍‌ କରୋନା ଆକ୍ରାନ୍ତ ହେବାପରେ ଅନ୍ୟ କିଛି ଖେଳାଳିଙ୍କ ସହ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟକୁ ଖେଳିବାକୁ ମନା କରିଥିଲେ କୋହଲି। କୋହଲି ଆରସିବିର ଡିଜିଟାଲ ମିଡିଆ ପ୍ଲାଟଫର୍ମକୁ କହିଛନ୍ତି, ଦୁର୍ଭାଗ୍ୟଜନକ ଯେ ଆମକୁ ଶୀଘ୍ର ଦୁବାଇରେ ପହଞ୍ଚିବାକୁ ପଡିଛି, କିନ୍ତୁ କରୋନା କାରଣରୁ ପରିସ୍ଥିତି ଅନିଶ୍ଚିତ ହୋଇପଡିଛି। ଏପରି ପରିସ୍ଥିତି ଅଛି ଯେ ଯେକୌଣସି ସମୟରେ କିଛି ବି ହୋଇପାରେ। ଆଶାକରେ, ଆମେ ଏକ ଭଲ, ଶକ୍ତିଶାଳୀ ଏବଂ ନିରାପଦ ପରିବେଶ ବଜାୟ ରଖିବାରେ ସକ୍ଷମ ହେବା ଏବଂ ଏହା ଏକ ଚମତ୍କାର ଅରାଇପିଏଲ୍‌ ହେବ। ଏମିତି କିଛି ନ ଘଟୁ ଯଦ୍ୱାରା ପୁଣି ଟୁର୍ନାମେଣ୍ଟ ବନ୍ଦ ହେବ। ମୁଁ ସମସ୍ତଙ୍କ ସହ ଯୋଗାଯୋଗରେ ଅଛି। ଗତ ଏକ ମାସ ମଧ୍ୟରେ ଆମେ ବହୁତ ଆଲୋଚନା କରିଛୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆଇପିଏଲ୍‌ ପରେ ପରେ ଟି -୨୦ ବିଶ୍ୱକପ ଖେଲିବ ଭାରତୀୟ ଦଳ। ବେଙ୍ଗାଲୁରୁ ଆଇପିଏଲ୍‌ର ପ୍ରଥମ ପର୍ଯ୍ୟାୟରେ ୭ଟି ମ୍ୟାଚ ମଧ୍ୟରୁ ୫ଟି ଜିତିଛି ଏବଂ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ଦଳ ଅଛି।

Share