ରାଜ୍ୟରେ ବଢୁଛି ବେରୋଜଗାରୀ

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ): ଓଡ଼ିଶାର ଯୁବପିଢ଼ି ମଧ୍ୟରେ ବେରୋଜଗାରୀ ସମସ୍ୟା ଗୁରୁତର ଭାବେ ବୃଦ୍ଧି ପାଇଥିବା ଦେଖାଯାଇଛି। ନିକଟରେ ପ୍ରକାଶିତ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ)ର ତ୍ରୈମାସିକ ରିପୋର୍ଟ (ମେ’-ଅଗଷ୍ଟ ୨୦୨୧)ରୁ ଏହା ଜଣାପଡ଼ିଛି। ଉକ୍ତ ରିପୋର୍ଟରେ ମଧ୍ୟ ପୂର୍ବ ୫ ମାସର ତୁଳନାତ୍ମକ ଚିତ୍ର ଦିଆଯାଇଛି। ଏହି ଅନୁସାରେ, ଚଳିତବର୍ଷ ଜାନୁୟାରୀ-ଅଗଷ୍ଟ ମଧ୍ୟରେ ରାଜ୍ୟରେ ବେରୋଜଗାରୀଙ୍କ ସଂଖ୍ୟା ୧.୭୫ ଲକ୍ଷ ବଢ଼ିଛି। ଏହି ସମୟ ମଧ୍ୟରେ ୨.୦୮ ଲକ୍ଷ ଚାକିରି ହରାଇଛନ୍ତି। ଯଦି ୨୦୨୦ ଡିସେମ୍ବରରୁ ହିସାବ କରାଯାଏ, ତେବେ ଏହି ୮ ମାସରେ ରାଜ୍ୟରେ ବେରୋଜଗାରୀଙ୍କ ସଂଖ୍ୟା ୨.୭୪ ଲକ୍ଷ ବୃଦ୍ଧି ପାଇଛି। ସେହିପରି ପ୍ରଥମ ତ୍ରୈମାସିକ (୨୦୨୧ ଜାନୁୟାରୀ-ଏପ୍ରିଲ୍‌)ରେ ୧୫-୨୯ ବର୍ଷ ବୟସର ପ୍ରାୟ ୨୯.୩୫ ଲକ୍ଷ ଚାକିରି କରୁଥିବା ଦେଖାଯାଇଥିଲା। କିନ୍ତୁ ଦ୍ୱିତୀୟ ତ୍ରୈମାସିକ (ମେ’- ଅଗଷ୍ଟ)ରେ ଏହି ସଂଖ୍ୟା ୨୭.୪୫ ଲକ୍ଷକୁ ହ୍ରାସ ପାଇଥିଲା।
ଦେଶର ଶୀର୍ଷ ଘରୋଇ ଅର୍ଥନୀତି ବିଚାରମଞ୍ଚର ଏହି ତ୍ରୈମାସିକ ରିପୋର୍ଟ ଅନୁସାରେ, ଓଡ଼ିଶାର ଯୁବପିଢ଼ିଙ୍କ ଆଗରେ ସମ୍ପ୍ରତି ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ବେରୋଜଗାରୀ। ରାଜ୍ୟରେ ୧୫ରୁ ୨୯ ବର୍ଷୀୟ ନିଯୁକ୍ତି ଆଶାୟୀଙ୍କ ସଂଖ୍ୟା ଅତ୍ୟଧିକ ରହିଥିବା ଏଥିରେ ଦର୍ଶାଯାଇଛି। ପ୍ରଥମ ତ୍ରୈମାସିକ ରିପୋର୍ଟ ଅନୁସାରେ ୧୫ରୁ ୧୯ ବର୍ଷ ବୟସ୍କ ବର୍ଗରେ ବେରୋଜଗାରୀ ହାର ସର୍ବାଧିକ ୩୫.୪୬ ପ୍ରତିଶତ ଥିଲା। ସେହିପରି ୨୦-୨୪ ବର୍ଷ ବୟସ୍କଙ୍କ ବେରୋଜଗାରୀ ହାର ୧୪.୯୧ ପ୍ରତିଶତ ଥିବାବେଳେ ୨୫-୨୯ ବର୍ଷ ବୟସ ବର୍ଗର ଏହି ହାର ୩.୫ ପ୍ରତିଶତ ରହିଥିଲା। ତେବେ ଦ୍ୱିତୀୟ ତ୍ରୈମାସିକ ରିପୋର୍ଟ ଅନୁଯାୟୀ, ୧୫ରୁ ୧୯ ବର୍ଷ ବୟସ୍କ ବର୍ଗରେ ବେରୋଜଗାରୀ ହାର ୧୬.୮୧ ପ୍ରତିଶତ ଥିବାବେଳେ ୨୦-୨୪ ବର୍ଷ ବର୍ଗରେ ୧୨.୨୬ ପ୍ରତିଶତ ଏବଂ ୨୫-୨୯ ବର୍ଷ ବୟସ ବର୍ଗରେ ବେରୋଜଗାରୀ ହାର ୫.୧୭ ପ୍ରତିଶତରେ ପହଞ୍ଚତ୍ଛି। ଏସବୁ ତଥ୍ୟରୁ ରାଜ୍ୟରେ ବେରୋଜଗାରୀ ସଂଖ୍ୟା ବଢ଼ୁଥିବା ସ୍ପଷ୍ଟ ହେଉଛି।