Categories: ଜାତୀୟ

୩ ମାସ ବେତନର ୫୦% ବେରୋଜଗାରୀ ଭତ୍ତା ମିଳିବ

ନୂଆଦିଲ୍ଲୀ, ୨୨।୮: କୋଭିଡ୍‌ ମହାମାରୀ ଯୋଗୁ ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ଡିସେମ୍ବର ୩୧ ମଧ୍ୟରେ ଯେଉଁମାନେ ଚାକିରି ହରାଇବେ ସେମାନଙ୍କୁ ବେରୋଜଗାରୀ ଭତ୍ତା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ସଦସ୍ୟ ଥିବା ବିଭିନ୍ନ ଶିଳ୍ପ ସଂସ୍ଥାର କର୍ମଚାରୀ, ଯେଉଁମାନେ ଉପରୋକ୍ତ ସମୟ ମଧ୍ୟରେ ଚାକିରି ହରାଇଥିବେ ସେମାନଙ୍କୁ ବେତନର ୫୦% ତିନିମାସ ପାଇଁ ବେରୋଜଗାରୀ ଭତ୍ତା ଭାବେ ପ୍ରଦାନ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଗୁରୁବାର କେତେକ ନିୟମରେ କୋହଳ କରିଛନ୍ତି। ବିଭିନ୍ନ ଶିଳ୍ପ ସଂସ୍ଥାର ପାଖାପାଖି ୩୦ରୁ ୩୫ ଲକ୍ଷ କର୍ମଚାରୀ ଏଥିରେ ଉପକୃତ ହୋଇପାରିବେ। ଇଏସ୍‌ଆଇସି ବୋର୍ଡ ଯୋଗ୍ୟତା ମାନଦଣ୍ଡରେ କୋହଳକୁ ଅନୁମୋଦନ କରିଥିବାବେଳେ ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାରେ ବେରୋଜଗାରୀ ସହାୟତା ବଢ଼ାଇବା ଲାଗି ମଞ୍ଜୁରୀ ଦେଇଛନ୍ତି।
ମହାମାରୀ ଏବଂ ଲକ୍‌ଡାଉନ ଯୋଗୁ ଚାକିରି ହରାଇଥିବା କଳକାରଖାନାର କର୍ମଚାରୀମାନଙ୍କ ପାଇଁ ଏହି ବେରୋଜଗାରୀ ଭତ୍ତା ବେଶ୍‌ ସହାୟକ ହୋଇପାରିବ। ଏଥିପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲା। ସେଥିପାଇଁ ନିୟମ କୋହଳ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ଏବଂ ନୀତି ଆୟୋଗ ଦୁଇମାସ ପୂର୍ବରୁ ଦାବି କରିଥିଲେ। ଯେଉଁମାନେ ଇଏସ୍‌ଆଇ ଯୋଜନାରେ ଅନୂ୍ୟନ ଦୁଇମାସ (୨୦୧୮ ଏପ୍ରିଲ ୧ରୁ ୨୦୨୦ ମାର୍ଚ୍ଚ ୩୧) ସାମିଲ ହୋଇଥିବେ, ୨୦୧୯ ଅକ୍ଟୋବର ୧ରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ଅନୂ୍ୟନ ୭୮ ଦିନ ଅଂଶଦାନ କରିଥିବେ ଏବଂ ଅନ୍ୟ ୩ଟି ୬ ମାସିଆ ଅଂଶଦାନ ଅବଧିରୁ ଗୋଟିଏରେ ଅଂଶଦାନ କରିଥିବେ, ସେମାନେ ବେରୋଜଗାରୀ ଭତ୍ତା ପାଇଁ ଆବେଦନ କରିପାରିବେ। ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ରୋଜଗାର କରୁଥିବା କର୍ମଚାରୀଙ୍କୁ ଇଏସ୍‌ଆଇସି ଯୋଜନାରେ ସାମିଲ କରାଯାଇଥାଏ ଏବଂ ସେମାନେ ବେରୋଜଗାରୀ ଭତ୍ତା ପାଇବା ପାଇଁ ହକ୍‌ଦାର ହୋଇଥାନ୍ତି। ଏଥିରେ ଦୈନିକ ହାରାହାରି ଆୟର ୨୫ ପ୍ରତିଶତ ସର୍ବାଧିକ ୯୦ ଦିନ ପାଇଁ ବେରୋଜଗାରୀ ଭତ୍ତା ଯୋଗାଇ ଦିଆଯିବାର ବ୍ୟବସ୍ଥା ଥିଲା। ତାହା ପୁଣି ଜୀବନକାଳ ମଧ୍ୟରେ ଥରେ ଏବଂ କେତେକ ସର୍ତ୍ତରେ ପ୍ରଦାନ କରାଯିବାର ନିୟମ ରହିଥିଲା। ତାହାକୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ପୂର୍ବରୁ ନିଯୁକ୍ତିଦାତାଙ୍କ ମାଧ୍ୟମରେ ଆବେଦନ ସର୍ତ୍ତ ରହିଥିବାବେଳେ ଉକ୍ତ ସର୍ତ୍ତକୁ ହଟାଇଦିଆଯାଇଛି। କର୍ମଚାରୀ ସିଧାସଳଖ ଇଏସ୍‌ଆଇସି କାର୍ଯ୍ୟାଳୟରେ ଭତ୍ତା ପାଇଁ ଆବେଦନ କରିପାରିବେ। ପୂର୍ବରୁ ନିଯୁକ୍ତି ହରାଇବାର ୯୦ ଦିନ ପରେ ଭତ୍ତା ମିଳୁଥିଲା। ତାହାକୁ ୩୦ ଦିନକୁ କମାଇ ଦିଆଯାଇଛି। ଇଏସ୍‌ଆଇସି ଏହି ଯୋଜନାକୁ ୨୦୨୧ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।

Share