ଅଫିମ କ୍ଷେତରେ କାମ କରିବାକୁ ବାଧ୍ୟ ହେଉଛନ୍ତି ବେକାର ଯୁବକ!

କାବୁଲ,୩୦।୮: ଆଫଗାନିସ୍ତାନ କିଛି ଦିନ ହେବ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ବେଡି ଉପରେ କୋରଡା ମାଡ ଭଳି କରୋନା ମହାମାରୀ ବି ଦାଉ ସାଧିଛି। ଏତିକିରେ ଆଫଗାନିସ୍ତାନବାସୀଙ୍କ ସମସ୍ୟା ସରି ନାହିଁ। ଏବେ ସେଠାରେ ବନ୍ୟା ପୁଣିଥରେ ସେମାନଙ୍କ ଅଣ୍ଟା ଭାଙ୍ଗି ଦେଇଛି କହିଲେ ଚଳେ। କିଛି ଦଶକ ହେବ ତାଲିବାନ ସମସ୍ୟାକୁ ସାମ୍ନା କରି ଆସୁଥିବା ଆଫଗାନିସ୍ତାନ ଏବେ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛି। ଅର୍ଥବ୍ୟବସ୍ଥା ବିଗିଡି ଯିବାରୁ ବେଳକୁ ବେଳେ ବେକାରୀ ସମସ୍ୟା ବଢିବାରେ ଲାଗିଛି। ଏବେ ଏଠାକାର ବେକାର ଯୁବକମାନେ ବହୁ ସଂଖ୍ୟାରେ ବାଧ୍ୟ ହୋଇ ଅଫିମ କ୍ଷେତରେ କାମ କରୁଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ଆଫଗାନିସ୍ତାନ ବିଶ୍ୱର ସବୁଠାରୁ ଅଧିକ ଅଫିମ ଉତ୍ପାଦନକାରୀ ଦେଶ ହୋଇଥିବା ବେଳେ ଏଠାରୁ ପାଖାପାଖି ୮୦ ପ୍ରତିଶତ ଅଫିମ ଉତ୍ପାଦନ ହୋଇଥାଏ। ଆଉ ଏବେ ଯେଉଁମାନେ କରୋନା ମହାମାରୀ ପାଇଁ ଚାକିରି ହରାଉଛନ୍ତି ସେମାନେ ନିଜର ପରିବାର ପ୍ରତିପୋଷଣ ପାଇଁ ଅଫିମ କ୍ଷେତରେ କାମ କରୁଥିବା କହିଛନ୍ତି।

Share