ଗଞ୍ଜାମରେ ଅଣାୟତ୍ତ ଡେଙ୍ଗୁ

ବ୍ରହ୍ମପୁର ଅଫିସ,୧୩।୧୦:ଗଞ୍ଜାମ ଜିଲାର ୧୯ ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମରେ ଅକ୍ଟୋବର ୧୨ ତାରିଖ ସୁଦ୍ଧା ୧୫୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଥିବା ଗଜପତିନଗରର ୨୯ବର୍ଷର ଜଣେ ଯୁବକଙ୍କ ଡେଙ୍ଗୁ ରିପୋର୍ଟ ପଜିଟିଭ ଆସିଛି। ସେହିପରି ବଡ଼ଖେମୁଣ୍ଡି ସାହିର ୪୫ ବର୍ଷର ମହିଳା ଓ ରଙ୍ଗୁଣିବନ୍ଧ ସାହିର ୩୫ ବର୍ଷର ଯୁବକ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଚିକିଟି ବ୍ଲକ କେ.ସୁବାନି ଗ୍ରାମର ୩୨ ବର୍ଷର ଯୁବକ ଓ ଶେରଗଡ ବ୍ଲକ ଅଲାରିଗଡ ଗ୍ରାମର ୩୦ ବର୍ଷର ଜଣେ ଯୁବକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲାରେ ଡେଙ୍ଗୁ ଏବେ ଅଣାୟତ୍ତ ହୋଇପଡିଛି। ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଲୋକମାନଙ୍କୁ ସଚେତନ ରହିବା ସହ ପରିବେଶ ସଫା ରଖିବା ପାଇଁ ପରାମର୍ଶ ଦିଆଯାଉଛି। ପଜିଟିଭ ଚିହ୍ନଟ ରୋଗୀମାନେ ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି। ଯେଉଁ ବ୍ଲକରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ସେହି ଅଞ୍ଚଳକୁ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଯାଇ ସଚେତନ କରୁଛିି। ବ୍ରହ୍ମପୁର ସହରରେ ବର୍ତ୍ତମାନ ସୁଦ୍ଧା ୧୦ ଶିଶୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସାରିଥିବା ବେଳେ ମୋଟ ୪୯ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଗତବର୍ଷ ଅର୍ଥାତ ୨୦୨୦ରେ ଜିଲାରେ ମାତ୍ର ୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ସେହିପରି ୨୦୧୯ ରେ ୩୦୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୦୧୮ରେ ୧୫୫ ରୋଗୀ ଚିହ୍ନଟ ହୋଇଥିଲେ।