ଭାଣିଜିଙ୍କୁ ଅସଦାଚରଣ, ମାମୁଙ୍କୁ ମାଡ଼ ମାରି ଲୁଟ୍‌: ୨ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ପର୍ଯ୍ୟଟନ କ୍ଷେତ୍ର ମା’ ମହୁରୀ କାଳୁଆ ମନ୍ଦିର ନିକଟରେ ଗତ ୩ ତାରିଖ ମଧ୍ୟାହ୍ନରେ ବାଇକ୍‌ ଅଟକାଇ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଏହା ସହ ତାଙ୍କ ମାମୁଙ୍କୁ ମାଡ଼ ମାରି ସୁନା ଅଳଙ୍କାର, ୧୮ ହଜାର ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଥିଲେ। ଏହି ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ବ୍ରହ୍ମପୁର ସଦର ଥାନା ପଦରବାଲି ଗ୍ରାମର କାଳିଆ ଗୌଡ ଏବଂ ବ୍ରହ୍ମପୁର ବଡବଜାର ଥାନା ଫାଷ୍ଟଗେଟ ଦିଗପହଣ୍ଡି ରୋଡର ସୂର୍ଯ୍ୟନାରାୟଣ ସାହୁ। ସୋମବାର ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତ ଦ୍ବୟଙ୍କୁ ମାମଲା ସମ୍ପର୍କରେ ପଚରାଉଚୁରା କରିଥିଲେ। ପରେ ଦିଗପହଣ୍ଡି ଥାନାର ଆଇନଶୃଙ୍ଖଳା ସ୍ଥିତି ନେଇ ସବିଶେଷ ଅନୁଧ୍ୟାନ କରିଛନ୍ତି। ଅଭିଯୁକ୍ତ ଦ୍ବୟଙ୍କୁ ବ୍ରହ୍ମପୁର ଏସ୍‌ଡିଜିଏମ କୋର୍ଟକୁ ଚାଲାଣ କରାଯାଇଛି। ଥାନା ମାମଲା ନଂ.୧୫୬/୨୦ରେ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।