ଟମ୍‌ କକାଙ୍କ ଦିନ

ଜିକୁ ପ୍ରାୟ ଦେଢ଼ଶହ ବର୍ଷ ତଳେ ୧୮୫୨ ମସିହାରେ ପ୍ରକାଶ ପାଇଥିଲା ହ୍ୟାରିଏଟ ବିଚର୍‌ ଷ୍ଟାୱେଙ୍କର କାଳଜୟୀ ଉପନ୍ୟାସ ‘ଅଙ୍କଲ ଟମ୍ସ କ୍ୟାବିନ’। ପରବର୍ତ୍ତୀ କାଳରେ ତାହା ଉଦୟନାଥ ଷଡ଼ଙ୍ଗୀଙ୍କ ଦ୍ୱାରା ଓଡ଼ିଆରେ ଅନୁଦିତ ହୋଇଥିଲା ‘ଟମ୍‌ କକାଙ୍କ କୁଟିର’ ନାମରେ। କାହାଣୀଟି ଥିଲା ଅଙ୍କଲ ଟମ୍‌ ଓ ଏଲିଜା ନାମକ ଦୁଇଜଣ କ୍ରୀତଦାସଙ୍କର ଦୟନୀୟ ଜୀବନ ଉପରେ ଆଧାରିତ। ତତ୍କାଳୀନ ଆମେରିକୀୟ ସମାଜରେ ପ୍ରଚଳିତ କ୍ରୀତଦାସ ପ୍ରଥା ବିରୋଧରେ ଏହା ଥିଲା ଏକ ସଭ୍ୟ ମାନବର ପ୍ରଥମ ପ୍ରତିବାଦ। ଗୋରା ଲୋକଙ୍କ ଦ୍ୱାରା ମୂଳ ଆମେରିକୀୟ ନିଗ୍ରୋମାନଙ୍କ ଉପରେ ହେଉଥିବା ଶାରୀରିକ ଓ ମାନସିକ ନିର୍ଯାତନାର କାହାଣୀ ସେଥିରେ ଏଭଳି ହୃଦୟ ବିଦାରକ ଭାବେ ବର୍ଣ୍ଣିତ ଥିଲା, ଯାହା ଆମେରିକାନ ସିଭିଲ ୱାରର ଜନ୍ମର କାରଣ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଦାସତ୍ୱ ପ୍ରଥା ଆମେରିକାରେ ସମ୍ପୂର୍ଣ୍ଣ ଭାବେ ଲୋପ ପାଇବା ପଛରେ ଥିଲା ଏହି ବହିର ବହୁଳ ପ୍ରଭାବ।
ଏହି ବହିଟି ପ୍ରକାଶ ପାଇଲା ପରେ ଅଙ୍କଲ ଟମ୍‌ ବା ଓଡ଼ିଆରେ ଯାହା ଟମ୍‌ କକା ରୂପେ ଅଭିହିତ ହୋଇଥିଲେ ପାଲଟିଗଲେ କୃଷ୍ଣକାୟ ଦାସଙ୍କର ପ୍ରତିନିଧି ଓ ବର୍ଣ୍ଣବୈଷମ୍ୟ ନୀତିର ଚାକ୍ଷୁଷ ପ୍ରମାଣ। ଦିନ ଥିଲା ତାଙ୍କ ନିଜ ମାଟିରେ ଏହି ନିଗ୍ରୋ ବା ଲୋହିତ ଭାରତୀୟମାନେ ୟୁରୋପୀୟ ଶ୍ୱେତାଙ୍ଗମାନଙ୍କ ଦ୍ୱାରା ନିର୍ଯାତିତ ହେଉଥିଲେ, ପଣ୍ୟଦ୍ରବ୍ୟ ପରି ବିକ୍ରି ହେଉଥିଲେ। ଯିଏ ତାଙ୍କୁ କିଣୁଥିଲା, ସେ ପାଲଟି ଯାଉଥିଲା ତାଙ୍କର ମୁନିବ। ମାତ୍ର ଏ ଘୃଣ୍ୟ ପ୍ରଥାକୁ ନେଇ ଆମେରିକାର ବିଭିନ୍ନ ରାଜ୍ୟ ମଧ୍ୟରେ ଅଙ୍କଲ ଟମ୍ସ କ୍ୟାବିନ ପୁସ୍ତକ ପ୍ରକାଶ ପାଇବା ପରେ ଜନମତ ସୃଷ୍ଟି ହେଲା ଏବଂ ସେମାନେ ସପକ୍ଷ ଓ ବିପକ୍ଷରେ ଭାଗଭାଗ ହୋଇଗଲେ। ୧୮୬୧ ମସିହାରେ ଆରମ୍ଭ ହେଲା ରକ୍ତାକ୍ତ ଗୃହଯୁଦ୍ଧ ଏବଂ ୧୮୬୫ ରେ ଏହାର ପରିସମାପ୍ତି ହେଲା। ଚାରି ବର୍ଷର ସଂଗ୍ରାମ ପରେ ଚାରିଲକ୍ଷରୁ ଊଦ୍ଧର୍‌ବ କ୍ରୀତଦାସ ସାଧାରଣ ଲୋକଙ୍କ ପରି ନାଗରିକ ଅଧିକାର ପାଇଲେ। ଏହି ଯୁଦ୍ଧରେ ସାତଲକ୍ଷ ପାଖାପାଖି ସୈନ୍ୟ ମୃତ୍ୟୁବରଣ କରିଥିଲେ ଏବଂ ଅନେକ କ୍ଷୟକ୍ଷତି ହୋଇଥିଲା। ମୁକ୍ତିର ଏହି ସନନ୍ଦ ସ୍ବାକ୍ଷରିତ ହେବା ପୂର୍ବରୁ କୃଷ୍ଣକାୟମାନେ ଶ୍ୱେତାଙ୍ଗମାନଙ୍କ ଘରେ, ଫାର୍ମରେ ଏବଂ କଳକାରଖାନାରେ ରୋଷେୟା, ସେବକ, ଗୋପାଳକ, ଅଶ୍ୱପାଳକ, ଶ୍ରମିକ ବା ସୈନିକ ଭାବେ କାମ କରିବାକୁ ବାଧ୍ୟ ହେଉଥିଲେ। ସେଥିପାଇଁ ତାଙ୍କୁ ଦରମା ମିଳୁ ନ ଥିଲା। ଦୁଇବକ୍ତ ଖାଇବା ଛଡ଼ା ଆଉ ପ୍ରାୟ କିଛି ତାଙ୍କୁ ମିଳୁନଥିଲା। ସେମାନଙ୍କର କୌଣସି ଆଇନଗତ ଅଧିକାର ନଥିଲା। ସେମାନେ ନିଜ ଇଚ୍ଛାରେ କୌଣସି ଜିନିଷ କରିପାରୁନଥିଲେ। ଛୋଟ ଛୋଟ ଭୁଲ୍‌ ପାଇଁ କଠୋର ଦଣ୍ଡ ମିଳୁଥିଲା ତାଙ୍କୁ। ନିଜ ଦେଶରେ ସେମାନେ ଥିଲେ ପରାଧୀନ।
ନିକଟରେ ବ୍ୟକ୍ତିଗତ କାର୍ଯ୍ୟରେ କିଛିଦିନ ପାଇଁ ଆମେରିକା ଯାଇଥିଲି। ମନରେ ସେଇ ଧାରଣା ଥିଲା ଯେ ସ୍ବାଧୀନତା ପାଇଥିଲେ ମଧ୍ୟ ସେମାନେ ଏବେ ବି କିଛି ନା କିଛି ବର୍ଣ୍ଣବୈଷମ୍ୟର ଶିକାର ପାଲଟୁଥାଇପାରନ୍ତି। ଦ୍ୱିତୀୟ ଶ୍ରେଣୀର ନାଗରିକ ରୂପେ ଜୀବନଯାପନ କରୁଥାଇପାରନ୍ତି। ଆମେରିକା କହିଲେ ତ ସାଧାରଣରେ ବୁଝାଯାଏ ଗୋରାମାନଙ୍କ ଦେଶ। ଅଙ୍କଲ ସାମ୍‌ ସେ ଦେଶର ଏକ ପ୍ରତୀକ, ଯାହା ଆମେରିକୀୟ ଶାସନ ଓ ସମାଜ ବ୍ୟବସ୍ଥାର ପ୍ରତିନିଧି। ଅଙ୍କଲ ସାମ୍‌ (ସାମ୍‌ କକେଇ)ଙ୍କ ଦେଶରେ ଏବେ ଅଙ୍କଲ ଟମ୍‌ (ଟମ୍‌ କକା)ଙ୍କ ବ୍ୟବସ୍ଥା କିପରି ଥିବ ଜାଣିବା ପାଇଁ ଉତ୍ସୁକତା ରହିବା ସାଭାବିକ କଥା। ସେଠି ଦେଖିଛୁ କୃଷ୍ଣକାୟ ନିଗ୍ରୋମାନେ ଆସି ହୋଟେଲରେ ଖାଆନ୍ତି ଯେଉଁଠାରେ ଶ୍ୱେତାଙ୍ଗମାନେ ତାଙ୍କ ଅର୍ଡର ନେବା, ପ୍ଲେଟ ଉଠାଇବା ଓ ଟେବୁଲ ପୋଛିବା ପାଇଁ ନିୟୋଜିତ ହୋଇଥାନ୍ତି। ବଡ଼ବଡ଼ ମଲ୍‌ରେ ଟମ୍‌ କକେଇ ଓ ଟମି ଖୁଡ଼ୀମାନେ ନିଜ ମନପସନ୍ଦର ଜିନିଷ କିଣିବା ପାଇଁ ଘୂରି ବୁଲୁଥାଆନ୍ତି ଓ ସେଠି ଟଏଲେଟ ସଫା କରିବାକୁ ନିୟୋଜିତ ଥାଆନ୍ତି କେହି ନା କେହି ଜଣେ ଶ୍ୱେତାଙ୍ଗ। ଏ ପରିବର୍ତ୍ତନ ଦେଖି ମନକୁ ଗୋଟିଏ କଥା ଆସୁଥିଲା ଯେ ସବୁ ରାତିର ଗୋଟେ ସକାଳ ଥାଏ। ସେ ଅନ୍ଧକାର ରାତି ବିତିଗଲା ପରେ ସକାଳର ସୂର୍ଯ୍ୟାଲୋକ ପଡ଼େ। ଗଛଲତା ହସିଉଠନ୍ତି! ସେମିତି ସବୁ ବୋହୂର ବି ଗୋଟେ ଦିନ ଆସେ। ସବୁବେଳେ ସେ ଶାଶୁର ହାକିମାତି ଭିତରେ ନଥାଏ। ସେମିତି ଏବେ ସେଠି କୃଷ୍ଣକାୟମାନେ ଆଉ ଶ୍ୱେତାଙ୍ଗଙ୍କ ଦ୍ୱାରା କବଳିତ, ନିଷ୍ପେଷିତ ବା ନିର୍ଯାତିତ ନୁହନ୍ତି। ସେମାନେ ସମାନ ଅଧିକାର ପାଇଛନ୍ତି ଏବଂ ସମାଜରେ ଅନେକ କ୍ଷେତ୍ରରେ ସେଇ ଶ୍ୱେତାଙ୍ଗଙ୍କ ଉପରେ ଅଛନ୍ତି, ଯେଉଁମାନେ ଦିନେ ତାଙ୍କୁ ପଦଦଳିତ କରି ରଖିଥିଲେ।
ଆମେରିକୀୟ ଲୋକସଂଖ୍ୟାର ଚଉଦ ଶତାଂଶ କୃଷ୍ଣକାୟ। ଏମାନଙ୍କ ସଂଖ୍ୟା ପ୍ରାୟ ପଚାଶ ନିୟୁତ (ପାଞ୍ଚ କୋଟି) ହେବ। ଏମାନେ ସବୁ କ୍ଷେତ୍ରରେ ଶ୍ୱେତାଙ୍ଗଙ୍କ ସହ ଏବେ ସମକକ୍ଷ। ଏପରିକି କୃଷ୍ଣକାୟ ଝିଅମାନେ ଶ୍ୱେତାଙ୍ଗ ପୁଅଙ୍କ ସହ ବିବାହ କରିଥିବାର ଦୃଶ୍ୟ ମଧ୍ୟ ଦୃଷ୍ଟିଗୋଚର ହୁଏ। କୃଷ୍ଣକାୟ ପୁଅମାନେ ମଧ୍ୟ ଶ୍ୱେତାଙ୍ଗୀମାନଙ୍କୁ ବିବାହ କରିଥିବାର ଉଦାହରଣ ବିରଳ ନୁହେଁ। ଟେକ୍ସାସ, ଫ୍ଲୋରିଡା ଏବଂ ଜର୍ଜିଆ ପରି ରାଜ୍ୟରେ ସେମାନେ ସଂଖ୍ୟାଗରିଷ୍ଠ। ନ୍ୟୁୟର୍କ, ଆଟଲାଣ୍ଟା, ୱାଶିଂଟନ ଡିସି ଓ ଚିକାଗୋ ଭଳି ସହରରେ ମଧ୍ୟ ଏମାନ ବହୁଳ ଭାବରେ ରହିଛନ୍ତି। କୃଷ୍ଣକାୟଙ୍କ ଉପରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼େ ଯେ ସେମାନଙ୍କର ହାରାହାରି ବାର୍ଷିକ ପାରିବାରିକ ଆୟ ୫୪,୦୦୦ ଡଲାରରୁ ଊର୍ଦ୍ଧ୍ୱ (ଅର୍ଥାତ ୪୭ ଲକ୍ଷ ଟଙ୍କା)। ୩୭% କୃଷ୍ଣକାୟ ପରିବାରର ଆୟ ବାର୍ଷିକ ୭୫,୦୦୦ ଡଲାରରୁ ଉଦ୍ଧର୍‌ବ ଏବଂ ୨୫% ପରିବାରର ବାର୍ଷିକ ଆୟ ୧,୦୦,୦୦୦ ଡଲାରରୁ ଉର୍ଦ୍ଧ୍ୱ (୮୮ ଲକ୍ଷ ଟଙ୍କା)। ଶିକ୍ଷାକ୍ଷେତ୍ରରେ ଦେଖାଯାଇଛି ଯେ ୪୧% କୃଷ୍ଣକାୟ ଅନୂ୍ୟନ ଗ୍ରାଜୁଏଟ ଏବଂ ୧୧% ଉଚ୍ଚତର ଡିଗ୍ରୀଧାରୀ। ଉଚ୍ଚତର ଶିକ୍ଷା ଏବଂ ଆୟ ଯୋଗୁ ସେମାନେ ଆଉ ଦ୍ୱିତୀୟ ଶ୍ରେଣୀର ନାଗରିକ ରୂପେ ପରିଗଣିତ ହେଉ ନାହାନ୍ତି। ସେମାନଙ୍କ ଭିତରୁ ଅନେକେ ଏବେ ପୋଲିସ , ସୈନ୍ୟବାହିନୀ ଅଥବା ବିଭିନ୍ନ ପ୍ରଶାସନିକ ପଦପଦବୀରେ ଅଧିଷ୍ଠିତ ଏବଂ ନିର୍ଣ୍ଣାୟକ ଭୂମିକାରେ ଅଛନ୍ତି
ସାମାଜିକ ପରିବର୍ତ୍ତନରେ ଦିନେ ଯେଉଁମାନେ ସମାଜକୁ ନିୟନ୍ତ୍ରଣ କରୁଥିଲେ ସେମାନେ ଏବେ ସାଧାରଣ ନାଗରିକ ଏବଂ ଯେଉଁମାନେ ତଳିତଳାନ୍ତ ହୋଇ କ୍ରୀତଦାସ ଜୀବନ ଜିଉଥିଲେ ସେମାନେ ମୁଣ୍ଡଟେକି ଚାଲୁଛନ୍ତି। ଗଣତନ୍ତ୍ରରେ ଏ ସବୁ ସମ୍ଭବ। ଆମ ଦେଶରେ ଚା’ ବିକୁଥିବା ଲୋକ ବି ଦିନେ ଦେଶର ପ୍ରଧାନମନ୍ତ୍ରୀ ପାଲଟିପାରେ ଏବଂ ନିଜାମଙ୍କ ପରିବାର ଲୋକେ ବି ପେଟ ପୋଷିବାକୁ ଚା’ ବିକି ପାରନ୍ତି! ଏକଦା ଜମିଦାରି କରୁଥିବା ପରିବାରର ଦାୟାଦ ଦାଦନ ଖଟିବାକୁ ଯାଇପାରେ ଏବଂ ଦାଦନ ଖଟୁଥିବ ପରିବାରର ପିଲା ବି କଲେକ୍ଟର ହୋଇପାରେ। ତେଣୁ ଅଙ୍କଲ ସାମ୍‌ (ସାମ୍‌ କକା)ଙ୍କ ଦେଶରେ ଅଙ୍କଲ ଟମ୍‌ (ଟମ୍‌ କକା) ସବୁଦିନ ପାଇଁ କ’ଣ ଦୁଃଖିନୀ ଗୋବରଗୋଟେଇର ଦାୟାଦ ହୋଇ ରହିଥାନ୍ତେ? କେବେ ନା କେବେ ଦିନେ ତ ତାଙ୍କ ଭିତରୁ ଜଣେ କେହି ବାରାକ ଓବାମା ବାହାରେ! କେବେ ଦିନେ ତ ସେମାନେ ମୁଣ୍ଡଟେକି ‘ହ୍ବାଇଟ ହାଉସ’ ରେ ପତାକା ଉତ୍ତୋଳନ କରନ୍ତି ଯେଉଁ ପତାକା ତଳେ ସାଲ୍ୟୁଟ ମାରି ଠିଆହୋଇଥାନ୍ତି ଅଙ୍କଲ ସାମ୍‌!
ମୋ: ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri