ପୁତୁରାଙ୍କୁ ହତ୍ୟା କରିଥିଲେ ଦାଦା

ଗଁଦିଆ, ୧।୧୧: ପାରିବାରିକ କଳହକୁ କେନ୍ଦ୍ରକରି ନାବାଳକ ପୁତୁରାଙ୍କୁ ଅତି ଜଘନ୍ୟ ଭାବେ ତଣ୍ଟିଚିପି ହତ୍ୟା କରିଥିଲେ ସମ୍ପର୍କୀୟ ଦାଦା। ମାମଲା ରଫାଦଫା କରିବାକୁ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇ ପଳାଇଥିଲେ ହାଇଦ୍ରାବାଦ। ହେଲେ ସନ୍ଦେହଜନକ ପରିସ୍ଥିତିରେ ଅଭିଯୁକ୍ତ ପୋଲିସ ସ୍କାନରକୁ ଆସିବା ପରେ ସତ ଧରାପଡ଼ିଛି। ଏଥିସହିତ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ପିଙ୍ଗୁଆ ପଞ୍ଚାୟତ ଅନ୍ତର୍ଗତ ଟୋଲରପଶି ଗ୍ରାମର ସ୍ବର୍ଗତ ଅଜୟ ମଳିକଙ୍କ ନାବାଳକ ପୁଅ କାହ୍ନୁ (୧୪) ନିଖୋଜ ମାମଲାର ଦୁଃଖଦ ପରିସମାପ୍ତି ଘଟିଛି। ଅଭିଯୁକ୍ତ ଗିରିଧାରୀ ମଳିକଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ସୂଚନା ଆଧାରରେ ମୃତକଙ୍କ ଖପୁରି ସମେତ ଅନ୍ୟ ଅବଶେଷ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ନିହଲପ୍ରସାଦ ଥାନାରେ ନଂ. ୧୭୮/୨୧ରେ ମାମଲା ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୨୭ରେ ଗ୍ରାମ ପଡ଼ିଆରେ ଖେଳୁଥିବାବେଳେ କାହ୍ନୁ ନିଖୋଜ ହୋଇଯାଇଥିଲେ। ଏ ନେଇ ତାଙ୍କ ମା’ ଶାନ୍ତି ମଳିକ ନିହଲପ୍ରସାଦ ଥାନାରେ ୨୮ ତାରିଖରେ ଅଭିଯୋଗ କରିଥିଲେ। ଗ୍ରାମରକ୍ଷୀ ଗୋବର୍ଦ୍ଧନ ମଳିକଙ୍କ ପରିବାର ସହିତ ତାଙ୍କର ପାରିବାରିକ ଶତ୍ରୁତା ଲାଗି ରହିଥିଲା। ଫଳରେ କାହ୍ନୁଙ୍କ ନିଖୋଜ ପଛରେ ଗୋବର୍ଦ୍ଧନଙ୍କ ପୁଅ ଗିରିଧାରୀଙ୍କ ହାତ ଥିବା ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ପୁଅଙ୍କୁ ଗିରିଧାରୀ ହତ୍ୟା କରିଥିବା ନେଇ ଶାନ୍ତି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଗିରିଧାରୀଙ୍କ ଉପରେ ନଜର ରଖିଥିଲା। ତେବେ ସେ ହାଇଦ୍ରାବାଦର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବାକୁ ଚାଲିଯାଇଥିବାରୁ ତାଙ୍କୁ ଗିରଫ କରିବା ସହଜ ନ ଥିଲା। ଅଭିଯୁକ୍ତ ଗ୍ରାମକୁ ଆସିଥିବା ସୂଚନା ପାଇ ଥାନାଧିକାରୀ ଜିତେନ୍ଦ୍ର କୁମାର ସାହୁ ସଦଳବଳ ଚଢ଼ାଉ କରି ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପଚରାଉଚୁରା ବେଳେ ସେ କାହ୍ନୁଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ତାଙ୍କ ସୂଚନା ଆଧାରରେ ଟୋଲରପଶି ଛକ ନିକଟ ସଂରକ୍ଷିତ ଜଙ୍ଗଲରୁ ମୃତ କାହ୍ନୁଙ୍କ ଖପୁରି, ତଳ ମାଢ଼ି, ଅସ୍ଥି, ଚପଲ, ଗଞ୍ଜି ଏବଂ ପ୍ୟାଣ୍ଟକୁ ପୋଲିସ ଜବତ କରିଛି। ଏହାକୁ ପରିବାର ଲୋକେ ଚିହ୍ନଟ କରିଛନ୍ତି। ଏସ୍‌ଡିପିଓ ବିକାଶ ରଞ୍ଜନ ବେହୁରା ଘଟଣାର ତଦନ୍ତ କରୁଛନ୍ତି। ଅଧିକ ତଦନ୍ତ ପାଇଁ ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କହିଛି। ଅନ୍ୟପଟେ ମୃତକ ପରିବାର ଲୋକେ ହତ୍ୟା ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି।