ଅନିଶ୍ଚିତତାରେ ଧଉଳି ରୋପ୍‌ ଓ୍ବେ

ଭୁବନେଶ୍ୱର (ବ୍ୟୁରୋ)/ପୁରୁଣା ଭୁବନେଶ୍ୱର,୧୬ା୭(ଡିଏନ୍‌.ଏ.): ଧଉଳିରେ ହେବାକୁ ଥିବା ରୋପ୍‌ ଓ୍ବେ ପାଇଁ ଆଶା ମଉଳିଛି। ରୋପ୍‌ ଓ୍ବେ ନିର୍ମାଣ ପାଇଁ କାର୍ଯ୍ୟଭାର ଦିଆଯାଇଥିବା ସଂସ୍ଥା ଠିକ୍‌ ସମୟରେ କାର୍ଯ୍ୟ ନ କରିପାରିବାରୁ ପର୍ଯ୍ୟଟନ ବିଭାଗ ଏହାକୁ ବାତିଲ କରିଛି। ଫଳରେ ଏହି ରୋପ ଓ୍ବେ ନିର୍ମାଣ ନେଇ ଅନିଶ୍ଚିତତା ଦେଖାଦେଇଛି। ୨୦୧୯ରେ ରୋପ୍‌ ଓ୍ବେ ନିର୍ମାଣ ପାଇଁ ପର୍ଯ୍ୟଟନ ବିଭାଗ ଓଡ଼ିଶା କନ୍‌ଷ୍ଟ୍ରକଶନ୍‌ କର୍ପୋରେଶନ ଲିମିଟେଡ୍‌(ଓସିସିଏଲ୍‌)କୁ ପ୍ରକଳ୍ପ କାର୍ଯ୍ୟ ଦେଇଥିଲା। ମାତ୍ର ଇତିମଧ୍ୟରେ ଏକବର୍ଷ ବିତିଯାଇଥିଲେ ମଧ୍ୟ ଶାନ୍ତିସ୍ତୂପରେ ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇପାରିନାହିଁ, ଯେଉଁଥିପାଇଁ ପର୍ଯ୍ୟଟନ ବିଭାଗ ଓସିସି ହାତରୁ ଏହି ପ୍ରକଳ୍ପକୁ କାଢି ନେଇଥିବା ଜଣାପଡ଼ିଛି। ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ଯାଦବ ଓଡ଼ିଶା କନ୍‌ଷ୍ଟ୍ରକଶନ୍‌ କର୍ପୋରେଶନ ଏମ୍‌ଡିଙ୍କୁ ମଙ୍ଗଳବାର ଲେଖିଥିବା ଏକ ଚିଠିରୁ ଏନେଇ ସୂଚନା ମିଳିଛି। ଗତ ଏକ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟରେ କୌଣସି ଅଗ୍ରଗତି ନ ହେବାରୁ ଓଡ଼ିଶା କନ୍‌ଷ୍ଟ୍ରକସନ୍‌ କର୍ପୋରେଶନକୁ ମିଳିଥିବା ପ୍ରଶାସନିକ ଅନୁମତିକୁ ପ୍ରତ୍ୟାହାର କରିନିଆଯାଇଛି। ଏହାସହ ପ୍ରକଳ୍ପ ଲାଗି ମିଳିଥିବା ଅର୍ଥକୁ ସୁଧ ସହ ତୁରନ୍ତ ଫେରସ୍ତ କରିବାକୁ ପର୍ଯ୍ୟଟନ ବିଭାଗ ଓସିସିକୁ କହିଛି। ଅନ୍ୟପଟେ ଏ ସମ୍ପର୍କରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି, କରୋନା ମହାମାରୀରୁ ପର୍ଯ୍ୟଟନ ଶିଳ୍ପ ବାଦ୍‌ ପଡ଼ିନି। କେତେକ ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ କାରଣରୁ ବିଳମ୍ବ ହୋଇପାରେ। କୋଭିଡ-୧୯ ଲାଗି ସାମୂହିକ ସ୍ବାର୍ଥ ଓ ରାଜ୍ୟବାସୀଙ୍କ ସ୍ବାର୍ଥକୁ ଲକ୍ଷ୍ୟ କରି ବ୍ୟୟବରାଦ କରାଯିବ। ସୂଚନାଥାଉ କି, ଅଶୋକ ପଣ୍ଡା ପର୍ଯ୍ୟଟନ ମନ୍ତ୍ରୀ ଥିବାବେଳେ ଶାନ୍ତିସ୍ତୂପ ଧଉଳିରେ ଏହି ପ୍ରକଳ୍ପର ଯୋଜନା ହୋଇଥିଲା।