ଅନିଶ୍ଚିତ ମହାମାରୀ ଓ ବିଭ୍ରାନ୍ତ ମତ

ହରିହର ତ୍ରିପାଠୀ

 

କରୋନା ସାରା ବିଶ୍ୱରେ ତାଣ୍ଡବ ରଚନା କରିଚାଲିଥିବାବେଳେ ଏହାକୁ ବୁଝିବାରେ ବିଫଳ ହୋଇଛି ବିଜ୍ଞାନୀ ମଣିଷ। ଯଦିଓ ଟିକା ବାହାରିଛି ଓ ଟିକାକରଣ ଚାଲିଛି; ମାତ୍ର ସଂକ୍ରମଣର ଗତି, ପ୍ରଭାବ ସମ୍ବନ୍ଧରେ କେବଳ ଅନୁମାନ କରିବା ବ୍ୟତୀତ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ବିଶେଷଜ୍ଞମାନଙ୍କ ନିକଟରେ ନାହିଁ। ଦ୍ୱିତୀୟ ଲହରର ସଂକ୍ରମଣ କମୁଛି, ଏହା ଆଶ୍ୱାସନାର ବିଷୟ। ଠିକ୍‌ ସେତିକିବେଳେ ତୃତୀୟ ଲହରର ଚିନ୍ତା ବଢ଼ିଚାଲିଛି। ଏହା ଭିତରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଛି କରୋନା ଭୂତାଣୁର ଡେଲ୍‌ଟା ପ୍ରଜାତି କୁଆଡ଼େ କରୋନାର ପ୍ରମୁଖ ପ୍ରଜାତି ହେବ। ବିଶ୍ୱର ପ୍ରାୟ ୧୦୦ ରାଷ୍ଟ୍ରରେ ଏହି ଡେଲ୍‌ଟା ପ୍ରଜାତି ପହଞ୍ଚତ୍ ସାରିଛି ବୋଲି ସଙ୍ଗଠନ କହିଛି। ଅଧିକାଂଶ ରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ହେବା ସହ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଟିକା ନେଇ ନ ଥିବା ଲୋକଙ୍କ ମଧ୍ୟରେ ଡେଲ୍‌ଟା ପ୍ରଜାତି ମାଡ଼ି ଚାଲିଛି।
ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଗତ ସପ୍ତାହରେ ଗଣମାଧ୍ୟମରେ କହିଥିଲେ ଯେ, ଦେଶରେ ତୃତୀୟ ଲହର ଆସିବା ଏକପ୍ରକାର ନିଶ୍ଚିତ। ସେ କହିଥିଲେ ଯେ, ତୃତୀୟ ଲହର ୬ରୁ ୮ ସପ୍ତାହ ଭିତରେ ଆସିପାରେ। କରୋନାର ଡେଲ୍‌ଟା ପ୍ଲସ ଭାରିଆଣ୍ଟ ତୃତୀୟ ଲହର ଆଣିପାରେ ବୋଲି ଭୂତାଣୁ ବିଶେଷଜ୍ଞମାନେ ସତର୍କ କରିଦେଇଛନ୍ତ। ଲୋକଙ୍କଠାରେ ଡେଲ୍‌ଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହେବା ପରେ ସମସ୍ତଙ୍କୁ ଆଇସୋଲେଶନରେ ରଖାଯାଉଛି। ସଂକ୍ରମିତଙ୍କୁ ଆଇସୋଲେଟ୍‌ କରାଗଲେ ପ୍ରଭାବହୀନ ହେବ ଡେଲ୍‌ଟାପ୍ଲସ। ତେବେ ଆଶ୍ୱସ୍ତିକର କଥା, ଦ୍ୱିତୀୟ ଅପେକ୍ଷା ତୃତୀୟ ଲହରରେ ପ୍ରଭାବ କମ୍‌ ରହିବ ଏବଂ ଅଧିକ ଟିକାକରଣ ହେଲେ ତୃତୀୟ ଲହର ସେତେଟା ଘାତକ ହେବନି ବୋଲି କୁହାଯାଉଛି। ମାତ୍ର ଆଉ କିଛି ବିଶେଷଜ୍ଞଙ୍କ ମତ ହେଲା, କରୋନାର ନୂତନ ଭାରିଆଣ୍ଟ ପୂର୍ବରୁ ସଂକ୍ରମିତ ହୋଇ ସୃଷ୍ଟି ହୋଇଥିବା ଆଣ୍ଟିବଡିକୁ ବି ମାତ୍‌ ଦେଇପାରେ। ଏହା ଲୋକଙ୍କ ରୋଗ ପ୍ରତିରୋଧକ ସିଷ୍ଟମ୍‌କୁ ସଂକ୍ରମିତ କରିବାର ବି ଆଶଙ୍କା ରହିଛି। ଏହି ଭାରିଆଣ୍ଟ ଲୋକଙ୍କୁ ଟିକା ନେବା ପରେ ମଧ୍ୟ ସଂକ୍ରମିତ କରିପାରେ ବୋଲି କୁହାଯାଉଛି। ଭାରତର ବରିଷ୍ଠ ଭିରୋଲଜିଷ୍ଟ ପ୍ରଫେସର ଶାହିଦ ଜାମୀଲ ଆଶଙ୍କା କରିଛନ୍ତି ଯେ, କରୋନାର ଡେଲ୍ଟାପ୍ଲସ୍‌ ଭାରିଆଣ୍ଟ ଟିକା ଦ୍ୱାରା ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଭାରିଆଣ୍ଟଠାରୁ ଭିନ୍ନ। ଏଥିରେ କେ୪୧୭ଏନ୍‌ ଭାରିଆଣ୍ଟ ରହିଛି, ଯାହା ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଠାବ ହୋଇଥିବା ବିଟା ଭାରିଆଣ୍ଟରେ ଦେଖିବାକୁ ମିଳୁଥିଲା। ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି ଯେ, ଆଲ୍‌ଫା ଓ ଡେଲ୍ଟା ଭାରିଆଣ୍ଟ ତୁଳନାରେ କରୋନା ଟିକାକୁ ମାତ୍‌ ଦେବାରେ ବିଟା ଭାରିଆଣ୍ଟ ଯଥେଷ୍ଟ ସକ୍ଷମ। ଏହି କାରଣରୁ ଦକ୍ଷିଣ ଆଫ୍ରିକା ସରକାର ଆଷ୍ଟ୍ରାଜେନେକାର ଗୋଟିଏ କନ୍‌ସାଇନ୍‌ମେଣ୍ଟକୁ ଫେରାଇ ଦେଇଥିଲେ।
ଅନ୍ୟପକ୍ଷରେ ଆଉ କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ ତୃତୀୟ ଲହର ଆସିବା ଖବରକୁ ଖାରଜ କରିଛନ୍ତି। ଜଣାଶୁଣା ଭିରୋଲୋଜିଷ୍ଟ ଡା. ଟି. ଜ୍ୟାକବ୍‌ ଜନ୍‌ଙ୍କ କହିବା ଅନୁଯାୟୀ, ଯେପର୍ଯ୍ୟନ୍ତ କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ନ ଆସିଛି, ସେଯାଏ ଦେଶରେ ତୃତୀୟ ଲହର ଆସିବ ନାହିଁ। କରୋନାର ବର୍ତ୍ତମାନ ଭାରିଆଣ୍ଟ ସଂକ୍ରମଣର ତୃତୀୟ ଲହର ଉତ୍ପନ୍ନ କରିପାରିବ ନାହିଁ। ଜ୍ୟାକବ୍‌ କହିଛନ୍ତି, କରୋନାର ଡେଲ୍ଟା ଓ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ ସାମାନ୍ୟ ପରିବର୍ତ୍ତନ ସହ ଅଧିକ କିମ୍ବା କମ୍‌ ସଦୃଶ ଅଟେ। ଏହି ଭାରିଆଣ୍ଟ ଦୁର୍ବଳ ହେଉଛି। ଜୁଲାଇ ଶେଷ ସୁଦ୍ଧା ପାଣ୍ଡେମିକ୍‌ ଏପିଡେମିକରେ ପରିବର୍ତ୍ତିତ ହୋଇଯିବ। ଏହା ପରେ ଜୋରଦାର ଟିକାକରଣ ଅଭିଯାନ ଦ୍ୱାରା ଚଳିତବର୍ଷ କୋଭିଡ୍‌-୧୯ରୁ ମୁକ୍ତି ପାଇପାରିବା। କରୋନା ମହାମାରୀର ତୃତୀୟ ଲହର ଆସିବା ନେଇ ସେଭଳି କୌଣସି ବୈଜ୍ଞାନିକ ଆଧାର ନାହିଁ। ପୁଣି କିଛି ବୈଜ୍ଞାନିକଙ୍କ ମତରେ, ଦେଶ ଅକ୍ଟୋବର ମାସରେ କରୋନାର ତୃତୀୟ ଲହରକୁ ସାମ୍ନା କରିବ।
ଏହା ଭିତରେ ଦେଶର ଜାତୀୟ ବୈଷୟିକ ଉପଦେଷ୍ଟା ଗୋଷ୍ଠୀର ମୁଖ୍ୟ ଡାକ୍ତର ଏନ୍‌. କେ. ଅରୋରା କହିଛନ୍ତି ଯେ, ଡେଲ୍‌ଟା ପ୍ଲସ ପ୍ରଜାତି ଭୂତାଣୁର ପ୍ରଭାବ କ’ଣ ତାହା ଅଧିକ ମାମଲା ଚିହ୍ନଟ ପରେ ହିଁ ଜଣାପଡ଼ିବ। ତେବେ ସାଧାରଣରେ ଏହା ପ୍ରତୀୟମାନ ହେଉଛି ଯେ, ଯେଉଁମାନେ ଗୋଟିଏ କିମ୍ବା ଦୁଇଟି ଡୋଜ୍‌ ଟିକା ନେଇଛନ୍ତି ସେମାନଙ୍କଠାରେ ଉକ୍ତ ପ୍ରଜାତିର ପ୍ରଭାବ କମ୍‌ ରହୁଛି। କିନ୍ତୁ ଏହା ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ହେବ। ବିଶେଷଜ୍ଞମାନଙ୍କ ମତରେ, କୌଣସି ଐକ୍ୟ ନ ଥିବାରୁ ଏଭଳି ସ୍ଥିତିରେ ଲୋକେ ହିଁ ନିଜର ସୁରକ୍ଷା ନିଜେ କରିବା ଉଚିତ ବୋଲି ମତ ପ୍ରକାଶ ପାଉଛି। ବ୍ୟାପକ ଟିକାକରଣ ସହିତ କରୋନା ଗାଇଡ୍‌ଲାଇନ ମାନି ଚଳିବାକୁ ପରାମର୍ଶ ଦିଆଯାଉଛି। ମାତ୍ର ଲୋକେ ସିନା ମାନିଲେ!
ଆମ ରାଜ୍ୟର କେତୋଟି ଜିଲାରେ ଯେଉଁ ଆଂଶିକ ଲକ୍‌ଡାଉନ୍‌ ଚାଲିଛି, ତାହାର କୌଣସି ଅର୍ଥ ନାହିଁ। ଲୋକେ ସ୍ବାଭାବିକ ଭାବେ ଚଳାଚଳ କରୁଛନ୍ତି। ବଜାର ଖୋଲୁଛି। ଚା’ଦୋକାନରେ ଖଟି ହେଉଛି। ଦହିବରା, ଗୁପ୍‌ଚୁପ୍‌ବିକାଳିଙ୍କ ଚତୁଃପାର୍ଶ୍ୱରେ ଲୋକେ ମେଳିବାନ୍ଧି ଖାଉଛନ୍ତି। ମାଛ ମାଂସ ଦୋକାନରେ ପ୍ରବଳ ଭିଡ଼। ମଦ ଦୋକାନ କଥା ନ କହିବା ଭଲ। ପରିବା ମାର୍କେଟରେ ଲୋକେ ଚଢ଼ାଚଢ଼ି ହୋଇ କିଣାକିଣି କରୁଛନ୍ତି। ଏବେ ବାହାଘର ଋତୁ ଚାଲିଛି। ଶ୍ରାବଣ ମାସ ହୋଇଗଲେ ବାହାତିଥି ସରିଯିବ। ତେଣୁ ଲୋକେ ତରବରରେ ବାହାଘର କରିଦେଉଛନ୍ତି। ତେବେ ବାହାଘର, ବ୍ରତଘର ଆଦି ଅନୁଷ୍ଠାନରେ କଟକଣାକୁ ଲୋକେ ଫୁ କରିଦେଇଛନ୍ତି। ଗାଇଡ୍‌ଲାଇନ ଅଛି ୫୦ ଲୋକରୁ ଅଧିକ ହେବେ ନାହିଁ, ମାତ୍ର ଏମିତି କୌଣସି ବାହାଘର ନାହିଁ; ଯେଉଁଠି ୨୦୦ରୁ ଅଧିକ ଲୋକ ଏକତ୍ର ହେଉନାହାନ୍ତି। ପୁଣି ବାହାଘର ବ୍ରତଘର ଆଦିରେ ସମ୍ମିଳିତ ହେଉଥିବା ଲୋକେ କେହି ବି ମାସ୍କ ପିନ୍ଧୁଥିବା ଦେଖାଯାଉନି। ପୋଲିସ୍‌ ଚେକିଂକୁ ଆସିଲେ ଲୋକେ କେବଳ ମୁହଁରେ ମାସ୍କ ଦେଇଦେଉଛନ୍ତି। ଖିଆପିଆ ଲୁଚାଣିଆ ଜାଗାରେ ହେଉଛି। କରୋନା କଟକଣାକୁ ଲୋକେ ଏକ ସରକାରୀ ନିୟମ ବୋଲି ଭାବୁଛନ୍ତି। ତେଣୁ ଏହି ନିୟମକୁ ଉଲ୍ଲଂଘନ କରିବା ଲାଗି ସବୁପ୍ରକାର ବାଟ ଆପଣାଉଛନ୍ତି। ମାତ୍ର କୋଭିଡ୍‌ ନିୟମ ଯେ ଜନସାଧାରଣଙ୍କ ସମୂହ ହିତ ଲାଗି ଉଦ୍ଦିଷ୍ଟ, ତାହା ସମସ୍ତେ ପାସୋରି ପକାଉଛନ୍ତି।
କେବଳ ଶନିବାର ଓ ରବିବାର ଦୁଇଦିନ ଶଟ୍‌ଡାଉନ୍‌କୁ ଲୋକେ ସାମାନ୍ୟ ମାନିବା ଦେଖାଯାଉଛି। ତେବେ ଏଥିଲାଗି ଶୁକ୍ରବାର ବଜାରରେ ଯେଉଁଭଳି ଭିଡ଼ ହେଉଛି, ତାକୁ ଦେଖିଲେ ହୋସ୍‌ ଉଡ଼ିଯାଉଛି। ଶଟ୍‌ଡାଉନ୍‌ରେ ହଇରାଣ ନ ହେବା ପାଇଁ ଲୋକ କିଛି ବି ମାନୁ ନାହାନ୍ତି। ଗୋଟିଏ ପଟେ କରୋନାର ତୃତୀୟ ଲହର ଆସିବ କି ନାହିଁ ସେ ନେଇ ବିଶେଷଜ୍ଞମାନଙ୍କ କଥାରେ କିଛି ବି ତାଳମେଳ ନଥିବା ବେଳେ ଲୋକେ ଦିନକୁ ଦିନ ଅଧିକରୁ ଅଧିକ ଅମାନିଆ ହେଉଛନ୍ତି। ଏଭଳି ପରିସ୍ଥିତିରେ ସରକାର କଠୋର ହେବା ବ୍ୟତୀତ ଅନ୍ୟ କୌଣସି ଉପାୟ ପରିଦୃଷ୍ଟ ହେଉନି ।
– ବଡ଼ବେତରା, କୁଦାନଗରୀ, କେନ୍ଦ୍ରାପଡ଼ା
ମୋ: ୯୪୩୯୯୦୩୨୨୦


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri