Categories: ଖେଳ

ଆଇପିଏଲ୍ ୨୦୨୪ରେ ଚମକିବେ ଓଡ଼ିଶାର ଏହି ଖେଳାଳି, ନିଲାମ ପାଇଁ ପଞ୍ଜିକରଣ କଲେ ଏତିକି…

ନୂଆଦିଲ୍ଲୀ, ୮।୧୨: ଇଣ୍ଡିଆନ ପ୍ରିମିଅର ଲିଗ ୨୦୨୪ (ଆଇପିଏଲ୍)ରେ ଚମକିବେ ଓଡ଼ିଶା ଖେଳାଳି। ଡିସେମ୍ବର ୧୯ ତାରିଖରେ ଆଇପିଏଲ୍ ନିଲାମୀ ପାଇଁ ଓଡିଶାରୁ ୧୬ ଖେଳାଳି ପଞ୍ଜିକୃତ କରିଥିବା ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ସୂଚନା ମିଳିଛି। ସମସ୍ତ ଖେଳାଳିଙ୍କର ମୂଳ ଦର ୨୦ ଲକ୍ଷ ଟଙ୍କା ରହିଛି। ତେବେ ନିଲାମ ପୂର୍ବରୁ ଯେଉଁ ଖେଳାଳିଙ୍କର ନାମ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ସେ ହେଉଛନ୍ତି ବୋଲର ଦେବବ୍ରତ ପ୍ରଧାନ।

ଦେବବ୍ରତ ପ୍ରଧାନଙ୍କ କଥା କହିଲେ, ଚଳିତ ବର୍ଷ ବିଜୟ ହଜାରେ ଟ୍ରଫିରେ ଟିମ୍ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମିଙ୍କ ଶୈଳୀରେ ପ୍ରଦର୍ଶନ କରିଛନ୍ତି। ଯଦି ସେ ଏହି ପ୍ରକାରର ଅଲରାଉଣ୍ଡର ପ୍ରଦର୍ଶନ ଜାରି ରଖନ୍ତି, ତେବେ ନିଶ୍ଚିତ ଭାବରେ ଯେକୌଣସି ଦଳ ତାଙ୍କ ଉପରେ ବାଜି ଲଗାଇ ପାରେ। ବୋଲିଂ ବ୍ୟତୀତ ଦେବବ୍ରତ ଦଳ ପାଇଁ ବ୍ୟାଟରେ ମଧ୍ୟ କମାଲ କରି ପାରନ୍ତି।

୨୦୨୩ ବିଜୟ ହଜାରେ ଟ୍ରଫିରେ ସେ ୭ ଟି ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ ଲଗାତାର ୨ ଟି ମ୍ୟାଚରେ ୮ ୱିକେଟ୍ ନେଇଛନ୍ତି। ୭ ଟି ମ୍ୟାଚରେ ପ୍ରଧାନ ତିନିଥର ଚାରିଟି ୱିକେଟ୍ ସଫଳତା ପାଇଛନ୍ତି। ଏହା ବ୍ୟତୀତ ସେ ସୌରାଷ୍ଟ୍ରଙ୍କ ବିପକ୍ଷରେ ତିନୋଟି ୱିକେଟ୍ ନେଇଥିଲେ। ବିଜୟ ହଜାରେ ଟ୍ରଫିରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ତାଲିକାରେ ପ୍ରଧାନଙ୍କ ନାମ ଦ୍ୱିତୀୟ ସ୍ଥାନରେ ରହିଛି। ଟୁର୍ନାମେଣ୍ଟରେ ୭ ଟି ମ୍ୟାଚରେ ସେ ୧୮ ଟି ୱିକେଟ୍ ନେଇଛନ୍ତି। ମହମ୍ମଦ ଶାମି ବିଶ୍ୱକପରେ ମଧ୍ୟ ସମାନ ଶୈଳୀରେ ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ୩ ମ୍ୟାଚ୍‌ରେ ୧୪ ୱିକେଟ୍ ନେଇ ହଇଚଇ ସୃଷ୍ଟି କରିଥିଲେ।

ଦେବବ୍ରତଙ୍କ ବ୍ୟତୀତ ଏଥର ଆଇପିଏଲ୍ ନିଲାମ ପାଇଁ ପଞ୍ଜୀକୃତ ହୋଇଥିବା ଅନ୍ୟ ଖେଳାଳିମାନେ ହେଲେ ଗୋବିନ୍ଦ ପୋଦ୍ଦାର, ପ୍ରୟାଶ ସିଂ, ସୁନୀଲ ରାଉଲ, ରାକେଶ ପଟ୍ଟନାୟକ, ହର୍ଷିତ ରାଠୋଦ, ସ୍ଵସ୍ତିକ ସାମଲ, ଅଭିଷେକ ଯାଦବ, ସୌଭାଗ୍ୟ ରାଉତ, ଶାନ୍ତନୁ ମିଶ୍ର, ଶୁଭ୍ରାଂଶୁ ସେନାପତି, ମୁସ୍ତାକ ବେଗ, ଆର୍ଶୀବାଦ ସ୍ୱାଇଁ, ରାଜେଶ ମହାନ୍ତି ଏବଂ ସନ୍ଦୀପ ପଟ୍ଟାନାୟକ।

ଏହି ୧୬ ଖେଳାଳିଙ୍କ ମଧ୍ୟରୁ ଶୁଭ୍ରାଂଶୁ ସେନାପତି ପୂର୍ବ ଦୁଇ ସିଜିନରେ ଚେନାଇ ସୁପର କିଙ୍ଗସର ସଦସ୍ୟ ଥିଲେ। କିନ୍ତୁ ଚଳିତ ବର୍ଷ ସିଏସକେ ତାଙ୍କୁ ଦଳରୁ ବାଦ ଦେଇଛି।

Share