ଆଖଣ୍ଡଳମଣିରେ ଅସମ୍ଭାଳ ଭିଡ଼: ମହିଳାଙ୍କ ପାଇଁ ନ ଥିଲା ବ୍ୟବସ୍ଥା

ଆରଡ଼ି,୨୫।୭(ଡି.ଏନ.ଏ.): ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ଲକ୍ଷାଧିକ କାଉଡ଼ିଆ ଜଳଲାଗି କରିଛନ୍ତି। ସୀମିତ ସ୍ଥାନରେ ଏତେସଂଖ୍ୟକ କାଉଡ଼ିଆଙ୍କ ଉପସ୍ଥିତି ପୀଠ ଓ ଏହା ଆଖପାଖ ଅଞ୍ଚଳରେ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା। ଭିଡ଼ ଯୋଗୁ କାଉଡ଼ିଆମାନେ ପୀଠର ବିଭିନ୍ନ ସ୍ଥାନରେ ଏପରିକି ଜୀବନ୍ତ ଷଣ୍ଢ ଉପରେ ପାଣି ଢାଳୁଥିବା ଦେଖିବାକୁ ମିଳିଥିଲା। ତେବେ ପୀଠରେ ହାଇମାଷ୍ଟ ଲାଇଟ ଥିଲେ ବି ତାହା କାହିଁକି ସଜଡ଼ା ଯାଉନାହିଁ। ଫଳରେ ପୀଠର କେତେକ ସ୍ଥାନରେ ଅନ୍ଧକାର ଥିବାରୁ କାଉଡ଼ିଆମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ପୀଠରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି।
ପୋଲିସ ରବିବାର ସକାଳଠାରୁ ଶତାଧିକ ଛୋଟବଡ଼ ଯାନକୁ ପୀଠକୁ ଛାଡ଼ି ନ ଥିଲା। ମଠଡିହ ଛକରେ ଏହି ଯାନକୁ ଅଟକାଇ ସାଠିବାଙ୍କୁଡ଼ା ଓ ଦୋହରାପାଟଣା ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାର୍ଶ୍ୱରେ ରଖାଯାଇଥିଲା। ସୋମବାର ସକାଳେ ଯାନଗୁଡ଼ିକୁ ସୁରୁଖୁରୁରେ ଚଳାଚଳ କରିବା ପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ମଠଡିହଠାରେ ଟ୍ରାଫିକ୍‌ ଜାମ୍‌ ହେବାରୁ ଆଖଣ୍ଡଳମଣି-ଭଦ୍ରକ ଓ ଆଖଣ୍ଡଳମଣି-ଯାଜପୁର ରାସ୍ତାର ଉଭୟପାର୍ଶ୍ୱରେ ଶତାଧିକ ଚାରି ଚକିଆ ଓ ଦୁଇଚକିଆ ଯାନ ଅଟକି ରହିଥିଲା। ଏପରିକି ଆମ୍ବୁଲାନ୍ସକୁ ମଧ୍ୟ ଘଣ୍ଟାଏ କାଳ ଅଟକି ରହିବାକୁ ପଡ଼ିଥିଲା। ପୀଠ ନିକଟସ୍ଥ ପହଣା, ଆରଡି, ମୁଅଁା, ଭୂଇଁପୁର, ବାତୋଳ ଆଦି ସ୍ଥାନରେ ସ୍କୁଲ ଛୁଟି ରହିବା ପାଇଁ ଜିଲା ଶିକ୍ଷାଧିକାରୀ ଚିଠି କରିଥିଲେ। କିନ୍ତୁ ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟ ଛୁଟି ନେଇ କୌଣସି ନିର୍ଦ୍ଦେଶନାମା ନ ଥିଲା। ସ୍କୁଲ ଖୋଲା ଥିବା ଜାଣି ବହୁ ପିଲା ଆସୁଥିବା ବେଳେ ଭିଡ଼ ଦେଖି ଘରକୁ ଫେରିଯାଇଥିଲେ। ଅନ୍ୟପକ୍ଷେ କେତେଜଣ ପିଲା ସ୍କୁଲକୁ ପଶୁଥିବା ବେଳେ ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ୪ ଜଣ ପିଲା ତଳେ ପଡିଯାଇଥିଲେ। ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ପଠାଯାଇଥିଲା। ପୀଠ ପାଖରେ ଥିବା ସମସ୍ତ ବିଦ୍ୟାଳୟ ଛୁଟି ଥିବାବେଳେ ମଠଡିହ ସ୍କୁଲକୁ କାହିଁକି ବନ୍ଦ ପାଇଁ ଚିଠି ହୋଇ ନି ବୋଲି ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ଏଥର ପାଳିରେ ଅସଂଖ୍ୟ ମହିଳା କାଉଡ଼ିଆ ଜଳଲାଗି ପାଇଁ ଆସି ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପାଣି ଢାଳିବା କିମ୍ବା ମନ୍ଦିରକୁ ପ୍ରବେଶ କରିବାକୁ ସେମାନଙ୍କ ପାଇଁ ପୃଥକ୍‌ ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ପରବର୍ତ୍ତୀ ସୋମବାରରେ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟାରିକେଡ୍‌ କରାଯିବାକୁ ସେମାନେ ମନ୍ଦିର ପ୍ରଶାସନ ନିକଟରେ ଦାବି କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ କାଉଡ଼ିଆ ଭକ୍ତମାନେ ମାସ୍କ ପିନ୍ଧିବାକୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା। ହେଲେ ପୀଠକୁ ଆସିଥିବା ଜଣେ ବି କାଉଡ଼ିଆ ମାସ୍କ ପିନ୍ଧି ନ ଥିଲେ। ଏପରିକି ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଅନେକେ ମାସ୍କ ପିନ୍ଧି ନ ଥିବା ଦେଖିବାକୁ ମିଳିଥିଲା।