ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୩ା୨: ସୋମବାର ଗୃହରେ ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପ୍ରତି ଖାଦ୍ୟର ମାନକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ତାରା କହିଛନ୍ତି, ରାଜ୍ୟରେ ସବୁଠି ଅପମିଶ୍ରିତ ଖାଦ୍ୟ ବିକ୍ରି ହେଉଛି। ଅପମିଶ୍ରିତ ଖାଦ୍ୟ ତାଲିକାରେ ହର୍ଲିକ୍ସ, ଦହି, କ୍ଷୀର, ଛେନା, ପାଣି, ବ୍ରେଡ, ମସଲା, ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ ଅପମିଶ୍ରିତ ହୋଇଥିବାବେଳେ ବିସ୍କୁଟ, ମଇଦା, ସ୍ନାକ୍ସ, ଛତୁଆ, ସସ୍‌, ସୋୟାବିନ, ଘିଅ, ଲହୁଣୀ ବି ଅପମିଶ୍ରିତ ହେଉଛି।

ସେହିପରି ଚିନି, ପାମ୍ପଡ଼, ଚକୋଲେଟ, ନୁଡୁଲ୍ସ ଆଦି ଅପମିଶ୍ରିତ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ସମସ୍ତେ ଖାଉଥିବା ଲୁଣ ବି କିଛି ସ୍ଥାନରେ ଭେଜାଲ। ତାରା ବାହିନୀପତିଙ୍କ ପ୍ରଶ୍ନରେ ସ୍ବାସ୍ଥ୍ୟମନ୍ତ୍ରୀ ଏପରି ଉତ୍ତର ରଖିଛନ୍ତି। ଏପରିକି ୩୦ ଜିଲାରେ କେଉଁଠି କ’ଣ ଭେଜାଲ ବିକ୍ରି ହେଉଛି ତା’ର ମଧ୍ୟ ତଥ୍ୟ ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

ସେ କହିଛନ୍ତି, ରାଜ୍ୟ ସରକାର ଅପମିଶ୍ରିତ ଖାଦ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଖାଦ୍ୟ ନିରାପତ୍ତା ଆୟୋଗଙ୍କ ଦ୍ୱାରା ଏହା ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ଖାଦ୍ୟ ଅପମିଶ୍ରଣ ରୋକିବା ଦିଗରେ ସମସ୍ତ ଜିଲା ଏବଂ ପୌର ପରିଷଦ ଅଞ୍ଚଳରେ ୬୩ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ନିୟମିତ ଭାବରେ ଚଢ଼ାଉ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Dharitri – Odisha’s No.1 Odia Daily

Share