ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଆତଙ୍କରାଜ

କଟକ ଅଫିସ,୧୭ା୪: କିଛି ଦିନର ବ୍ୟବଧାନ ପରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ପୁଣି ଥରେ ଅଣଛାତ୍ରଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ହଷ୍ଟେଲ ଅନ୍ତେବାସୀଙ୍କୁ ଅଣଛାତ୍ରମାନେ ଆକ୍ରମଣ କରିବା ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ଉତ୍ତେଜନା ଦେଖିବାକୁ ମିଳିଥିଲା। ଏ ନେଇ ଅନ୍ତେବାସୀ ଚିଫ୍‌ ୱାର୍ଡେନ ଶିବବ୍ରତ ଦାସଙ୍କ ନିକଟରେ ଅଭିଯୋଗ କରିବା ପରେ ରାତିରେ ରେସିଡେନ୍ସିଆଲ କମିଟି ବୈଠକ ବସିଥିଲା।
ମିଳିଥିବା ସୂଚନା ମୁତାବକ, ବିଶ୍ୱବିଦ୍ୟାଳୟର ଆମ୍ଫି ଥିଏଟରରେ ଶନିବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ବିଶ୍ୱବିଦ୍ୟାଳୟ ଛାତ୍ର ଏବଂ ହଷ୍ଟେଲ ଅନ୍ତେବାସୀ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଚାଲିଥିବାବେଳେ ୫/୬ ଜଣ ଅଣଛାତ୍ର ପ୍ରବେଶ କରି ଇଷ୍ଟ ହଷ୍ଟେଲ ଓ ଲଲିତଗିରି ହଷ୍ଟେଲର କେତେଜଣ ଅନ୍ତେବାସୀଙ୍କ ସହ କୌଣସି କାରଣକୁ ନେଇ ଗଣ୍ଡଗୋଳ କରିଥିଲେ। ପରେ ସେମାନେ ଛୁରିରେ ଅନ୍ତେବାସୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଇଷ୍ଟ ହଷ୍ଟେଲରେ ରହୁଥିବା ଶୁଭଜିତ ପଣ୍ଡା ଆହତ ହୋଇଥିଲେ। ତାଙ୍କୁ ରକ୍ଷା କରିବାବେଳେ ଆଉ କିଛି ଅନ୍ତେବାସୀ ଆହତ ହୋଇଥିଲେ। ଏହାପରେ ଅଣଛାତ୍ରମାନେ ସେଠାରୁ ପଳାଇ ଯାଇଥିଲେ। ଏହାକୁ ନେଇ ପୁଣି ରବିବାର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା। ଆହତ ଅନ୍ତେବାସୀ ଚିଫ୍‌ ୱାର୍ଡେନଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଆକ୍ରମଣକାରୀଙ୍କୁ ବିଶ୍ୱବିଦ୍ୟାଳୟର ଏମ୍‌ବିଏ ପ୍ରଥମ ବର୍ଷର ଜଣେ ଛାତ୍ର ସହଯୋଗ କରିଥିବା ଅଭିଯୋଗ ହୋଇଛି। ରବିବାର ଛୁଟିଦିନ ଥିବାରୁ କୁଳପତିଙ୍କ କାର୍ଯ୍ୟାଳୟ ବନ୍ଦ ଥିଲା। ସୋମବାର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୁ ଅନ୍ତେବାସୀମାନେ ଭେଟିବେ। କେତେଜଣ ଅଣଛାତ୍ରଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଥାନାରେ ଅଭିଯୋଗ କରାଯିବ। ଏଥିସହ ସୋମବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଘଟଣା ଉପରେ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି। ପୂର୍ବରୁ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହାସତ୍ତ୍ୱେ ସେମାନେ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରି ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ହେଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଶନିବାର ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ଅନ୍ତେବାସୀମାନେ ପ୍ରକାଶ କରିଛନ୍ତି। ଏପରି କି ଆକ୍ରମଣକାରୀ ଅଣଛାତ୍ରମାନେ ଛାତ୍ରାବାସରେ ବେଆଇନ ଭାବେ ରହୁଥିବା ଅଭିଯୋଗ ହୋଇଛି। ଏ ନେଇ ଚିଫ୍‌ ୱାର୍ଡେନ ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ।