Categories: ଫୁରସତ

ଯାଆଁଳା ପିଲାଙ୍କୁ ଚିହ୍ନିପାରିଲେନି ମା’, ନେଲେ ପୋଲିସର ସହାୟତା

କୁହାଯାଏ, ମା’ ଏବଂ ପିଲାମାନଙ୍କ ମଧ୍ୟରେ ସମ୍ପର୍କ ଗର୍ଭାବସ୍ଥାରୁ ହିଁ ସଂଯୁକ୍ତ ହୋଇଥାଏ। ପିଲାଙ୍କ ପାଟି ନ ଫିଟିବା ଯାଏ ବିନା ଦ୍ୱିଧାରେ ମା’ ସବୁ କିଛି ବୁଝିପାରନ୍ତି। ପିଲାଙ୍କ ଚେହେରା ଦେଖି ପାଇଁ ଚିହ୍ନିବା ମା’ଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ସେ କେବଳ ସ୍ପର୍ଶ କରି ନିଜ ପିଲାକୁ ଚିହ୍ନି ପାରିବେ। କିନ୍ତୁ ଆର୍ଜେଣ୍ଟିନାରେ ରହୁଥିବା ଜଣେ ମା’ଙ୍କ ସହିତ ଏକ ଭିନ୍ନ ଘଟଣା ଘଟିଛି। ସେ ନିଜ ଜନ୍ମିତ ଯାଆଁଳା ଶିଶୁଙ୍କୁ ଚିହ୍ନିପାରି ନ ଥିଲେ। ଏତେ ଦ୍ୱନ୍ଦ୍ୱରେ ପଡ଼ିଥିଲେ ଯେ, ଶେଷରେ ପୋଲିସର ସହାୟତା ନେଇଥିଲେ।

ଏହା ହେଉଛି ସୋଫିଆ ରୋଡ୍ରିଗୁଏଜ୍‌ଙ୍କ କାହାଣୀ। ଯିଏ ନିଜେ ଟୁଇଟରରେ ତାଙ୍କ ସହ ଘଟିଥିବା ଏକ ଅଜବ ଘଟଣା ବିଷୟରେ କହିଛନ୍ତି। ସେ କହିଛନ୍ତି, ତାଙ୍କର ଦୁଇ ପିଲାଙ୍କୁ ଅଲଗା ଅଲଗା ଚିହ୍ନିବାରେ ସକ୍ଷମ ହୋଇପାରିଲେ ନାହିଁ। ଉଭୟ ସମାନ ଦେଖାଯାଉଥିଲେ । ସେମାନଙ୍କୁ ଅଲଗା କରିବା ପାଇଁ କୌଣସି ବିଶେଷ ଚିହ୍ନ ବି ନାହିଁ।
ଏଭଳି ପରିସ୍ଥିତିରେ ସେ ଏକ ଉପାୟ ଖୋଜି ପିଲାମାନଙ୍କୁ ଚିହ୍ନଟ କରିବା ପାଇଁ ଘରୁ ପୋଲିସ ଷ୍ଟେଶନକୁ ନେଇଥିଲେ। ଏଠାରେ ଉଭୟ ପିଲାଙ୍କ ଫିଙ୍ଗର ପ୍ରିଣ୍ଟ ନିଆଯାଇଥିଲା। ଯାହା ଦ୍ୱାରା ସେମାନଙ୍କୁ ଚିହ୍ନଟ କରାଯାଇପାରିବ। ତେବେ ଏହି ପଦ୍ଧତି ମଧ୍ୟ କାମ କରି ନ ଥିଲା। କାରଣ ପୋଲିସ ଡାଟାବେସରେ ଏହି ପିଲାମାନଙ୍କର ଆଙ୍ଗୁଠି ଚିହ୍ନ ନ ଥିଲା। ସୋଫିଆ କହିଛନ୍ତି, ସେ ପିଲାମାନଙ୍କର ଆଙ୍ଗୁଠି ଚିହ୍ନ ନେଇଥିଲେ, କିନ୍ତୁ ସେମାନେ ସିଷ୍ଟମରେ ଦେଖାଉ ନ ଥିଲେ। ପିଲାମାନେ ମଧ୍ୟ ବହୁତ ଛୋଟ, ଏହିପରି ଫଟୋଗ୍ରାଫ ମାଧ୍ୟମରେ ମଧ୍ୟ ସେମାନଙ୍କୁ ଚିହ୍ନଟ କରାଯାଏ ନାହିଁ।

ଉଭୟଙ୍କୁ ଦୁଇଥର ଟିକାକରଣ କରାଯାଇଥିଲା। ସୋଫିଆ କହିଛନ୍ତି, ଯେତେବେଳେ ସେ ଅନୁଭବ କଲେ ଯେ, ସେହି ଶିଶୁକୁ ଦୁଇଥର ଟିକାକରଣ କରାଯାଇଛି ସେ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ଏପରିକି ତାଙ୍କର ଡାକ୍ତରୀ ରେକର୍ଡ ରଖିବା ମଧ୍ୟ ତାଙ୍କ ଚେହେରା ହେତୁ କଷ୍ଟସାଧ୍ୟ ହୋଇପଡୁଛି। ଯେଉଁଥିପାଇଁ ନାମକରଣ କରିବା ବି କଷ୍ଟକର ହୋଇପଡୁଛି। ଅନେକ ଲୋକ ଏହି ପୋଷ୍ଟରେ ସେମାନଙ୍କର କାହାଣୀ କହିଥିଲେ। ଯାଆଁଳା ପିଲାମାନଙ୍କୁ ଚିହ୍ନିବା ପାଇଁ କେଉଁ କୌଶଳ ଆପଣାଇଲେ ୟୁଜରମାନେ ତାହା ସୋଫିଆଙ୍କୁ ପଚାରିଛନ୍ତି।

Share