କାର୍ଯ୍ୟକ୍ଷମ ହୋଇପାରୁନାହିଁ

ଚଣ୍ଡିଖୋଲ,୨୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି):ଯାଜପୁର ଓ କେନ୍ଦ୍ରାପଡ଼ା ଜିଲାର ୧୯ ବ୍ଲକ୍‌ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହେବାକୁ ଥିବା ସମସ୍ତ କାର୍ଯ୍ୟର ତଦାରଖ ବିଭାଗୀୟ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା କରାଯିବ। ସେଥିପାଇଁ ଚଣ୍ଡିଖୋଲସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ୨ କୋଟି ୫୪ ଲକ୍ଷ ଟଙ୍କା ବ୍ୟୟରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ମାଣ ହୋଇଛି। ଅଗଷ୍ଟ ୧୨ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ ଘୋଷଣା କରିଥିଲେ କି ପୂର୍ବରୁ କଟକରେ ଏହାର କାର୍ଯ୍ୟାଳୟ ଚାଲୁଥିବାବେଳେ ଆଜିଠାରୁ ଏଠାରେ ଚାଲିବ। ତେବେ ଆଶ୍ଚର୍ଯ୍ୟର କଥା ଏହା ମଧ୍ୟରେ ଦୀର୍ଘ ଦେଢ଼ମାସ ବିତିଯାଇଥିଲେ ବି ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଚାଲି ପାରିଲାନାହିଁ। ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ ଇଂ. ଦୁର୍ଗା ପ୍ରସାଦ କରଙ୍କୁ ମଧ୍ୟ ନିଯୁକ୍ତି ମିଳିଛି। ସେ ଏଠାକୁ ଆସିବା ପରିବର୍ତ୍ତେ କଟକରେ ରହି କାମ କରୁଛନ୍ତି। ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଏହି କାର୍ଯ୍ୟାଳୟ ନିର୍ମାଣ କରୁଥିବା ଠିକା ସଂସ୍ଥା କାର୍ଯ୍ୟାଳୟ ଭିତର କାର୍ଯ୍ୟ ସାରି ପାରିନାହିଁ। ବାହାର ପାର୍କିଂ ନିର୍ମାଣ କରିନାହିଁ। ବାହାରେ ବାଲି ଓ ଚିପ୍ସ ଗଦା ହୋଇ ରହିଛି। ନିର୍ମାଣ କାର୍ଯ୍ୟ ଠିକାଦାର ନ କରି ବିଳମ୍ବ କରୁଥିବାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଏହି କାର୍ଯ୍ୟାଳୟ ପରିସରରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ସଦାସର୍ବଦା ଉପସ୍ଥିତ ରହୁ ଥିବାବେଳେ କାର୍ଯ୍ୟ ତଦାରଖ ନ କରିବା ଓ ତତ୍ପରତା ପ୍ରକାଶ ନ କରିବା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅମୂଲ୍ୟ କୁମାର ସେଠୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ପାରିନାହିଁ।