ମିଳିନି ଧାନବିକ୍ରି ଟୋକନ:ଇଚ୍ଛାମୃତ୍ୟୁ ଆବେଦନ କଲେ ଚାଷୀ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ): ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀଙ୍କୁ ଗତ ରବିରେ ଅମଳ ଧାନ ବିକ୍ରି ପାଇଁ ଟୋକନ ମିଳିପାରି ନାହିଁ । ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ଲାଗି ରହିଛି। ଏହି କ୍ରମରେ ମଙ୍ଗଳବାର ଜିଲାର ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଗ୍ରାମର ଭରତ ଚନ୍ଦ୍ର ସାହୁଙ୍କ ପୁଅ ଗୋପାଳକୃଷ୍ଣ ସାହୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସେ ଜିଲାପାଳଙ୍କୁ ଆବେଦନ ପତ୍ର ପ୍ରଦାନ କରିଛନ୍ତି । ଟୋକନ ମିଳି ପାରି ନ ଥିବା ଯୋଗୁ ସେ ତାଙ୍କ ମା’ଙ୍କ ଚିକିତ୍ସା ସମେତ ଋଣ ପରିଶୋଧ, ପରିବାର ଗୁଜୁରାଣ ମେଣ୍ଟାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଆବେଦନ ପତ୍ରରେ ଉଲ୍ଲେଖ ରହିଛି । ଧାନ ବିକ୍ରି ଟୋକନ ପ୍ରଦାନ ସହିତ ତୁରନ୍ତ ତାଙ୍କ ଅମଳ ଧାନ କିଣାଯିବା ବ୍ୟବସ୍ଥା କରାଯାଉ, ନଚେତ୍‌ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଉ ବୋଲି ସେ ନିବେଦନ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share