କଷ୍ଟ ସହି ନ ପାରି କରିଥିଲେ ଆତ୍ମହତ୍ୟା: ୪ ବର୍ଷ ପରେ ଦୁଇ ଅଭିଯୁକ୍ତ ଗିରଫ

ବଞ୍ଚୋ, ୭।୮ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନା କେସ୍ ନଂ-୪୩, ତାରିଖ ୧୫.୦୩.୨୦୨୨ରେ ରୁଜୁ ହୋଇଥିବା ୪ ବର୍ଷ ପୁରୁଣା ଏକ ଚର୍ଚ୍ଚିତ ମାମଲାରେ ଘସିପୁରା ପୋଲିସ ଦୁଇଜଣ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ଆନନ୍ଦପୁର ଏସ୍‌ଡିପିଓ କମଳଲୋଚନ ପଣ୍ଡା ସୂଚନା ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ଜଳସୁଆଁ ଗ୍ରାମର ହିରଣ୍ୟ ଜେନାଙ୍କ ଭଉଣୀ ନନ୍ଦିନୀ ଜେନାଙ୍କ ବିବାହ ରେକୁଟିଆ ଗ୍ରାମର ତ୍ରିଲୋଚନ ଜେନା ଓରଫ ଚିଲ୍ଲାଙ୍କ ସହ ହୋଇଥିଲା। ବିବାହ ପରେ ନନ୍ଦିନୀଙ୍କୁ ତାଙ୍କ ସ୍ୱାମୀ ତ୍ରିଲୋଚନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ତ୍ରିଲୋଚନ ଅଭିଯୋଗକାରୀଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଦାସଙ୍କୁ ମଧ୍ୟ ବିବାହ କରିଥିଲେ। ଏହାପରେ ଉଭୟେ ମିଶି ନନ୍ଦିନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଘସିପୁରା ଥାନାରେ ମାମଲା ରୁଜୁ କରାଯାଇଥିଲା।

ଘଟଣା ପରଠାରୁ ଅଭିଯୁକ୍ତ ତ୍ରିଲୋଚନ ଜେନା ଓ ଲକ୍ଷ୍ମୀପ୍ରିୟା ଦାସ ଫେରାର ହୋଇ ଚେନ୍ନାଇରେ ରହୁଥିଲେ। ସମ୍ପ୍ରତି ସେମାନେ ନିଜ ଗାଁକୁ ଫେରିଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ସୂଚନା ଆଧାରରେ ଘସିପୁରା ପୋଲିସ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଥିଲା। ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଦୀର୍ଘ ୪ ବର୍ଷ ଧରି ଫେରାର ଥିବା ଦୁଇ ଅଭିଯୁକ୍ତଙ୍କ ଗିରଫ ସହ ଏହି ମାମଲାର ତଦନ୍ତରେ ପୋଲିସକୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି ବୋଲି ଆନନ୍ଦପୁର ଏସ୍‌ଡିପିଓ କମଳଲୋଚନ ପଣ୍ଡା ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily