ସ୍ବାମୀଙ୍କ ଅତ୍ୟାଚାର ସହି ନ ପାରି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ

କେନ୍ଦୁଝର,୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ବାମୀର ଅତ୍ୟାଚାରରେ ଗୀତାରାଣୀ ଅତିଷ୍ଠ। ଅତ୍ୟାଚାରୀ ସ୍ବାମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗୀତାରାଣୀ ତାଙ୍କର ଦୁଇଟି କୋମଳମତି ଛୁଆଙ୍କ ଭରଣପୋଷଣ ସହିତ ସାହାଯ୍ୟ ସହଯୋଗ କରିବାକୁ ଜିଲାପାଳ ଓ ଏସ୍‌ପିଙ୍କ ମିଳିତ ଅଭିଯୋଗ ଶୁଣାଣିରେ ତାଙ୍କର କରୁଣ କାହାଣୀ କହିଥିଲେ।

ପ୍ରକାଶ ଯେ, କେନ୍ଦୁଝର ମ୍ୟୁନିସିପାଲିଟି ଅନ୍ତର୍ଗତ ୨୧ ନମ୍ବର ଓ୍ବାର୍ଡ ବ୍ରାହ୍ମଣି ଗାଁରେ ଗୀତାରାଣୀ (୩୨) ବସବାସ କରି ଆସୁଛି। ୨୦୧୭ରେ ସେ ଗ୍ରାମର ଜଣଙ୍କୁ ଭଲ ପାଇ କୋର୍ଟରେ ବିବାହ କରିଥିଲେ। ଶ୍ୱଶୁର ଶାଶୁଙ୍କ ବିରୋଧ ଯୋଗୁ ସେ ନିଜ ବାପଘରେ ରହିଥିଲେ। ଗୀତାରାଣୀଙ୍କ ବାପାଙ୍କ ଜମିବାଡ଼ି ତାଙ୍କ ସ୍ବାମୀଙ୍କ ଘର ଲୋକ ଚାଷ କରି ଆସୁଥିଲେ। କିଛି ବର୍ଷ ହସଖୁସିର ଜୀବନ ବିତିବା ପରେ ତାଙ୍କର ଦୁଇଟି ଝିଅ ଜନ୍ମ ହୋଇଥିଲେ। ଯାହାଙ୍କ ଏବେ ୪ ଓ ୬ ବର୍ଷର ହେବ। ସେବେଠୁ ତାଙ୍କ ଉପରକୁ ଅତ୍ୟାଚାର ଆରମ୍ଭ କରିଦେଇଥିବା ଅଭିଯୋଗ କରିଛନ୍ତ। ବାପଘର ଜମିବାଡ଼ିକୁ ବିକ୍ରି କରି ଏକ ଗାଡି ଆଣିବାକୁ ମଧ୍ୟ ସମସ୍ତେ ପ୍ରବଳ ଚାପ ପକାଇଛନ୍ତି। ପ୍ରତିଦିନ ତାଙ୍କ ସ୍ବାମୀ ସନ୍ଧ୍ୟାରେ ଆସି ମାର୍‌ପିଟ କରିବା ସହିତ ଜୀବନରୁ ମାରିଦେବା ପାଇଁ ମଧ୍ୟ ଯୋଜନା କରିଥିବା କଥା ଗୀତାରାଣୀ କହିଛନ୍ତି। ଶଶୁର ଓ ଶାଶୁଙ୍କ କଥାରେ ପଡ଼ି ତାଙ୍କ ସ୍ବାମୀ ଦିତୀୟ ବିବାହ କରିଥିବା କହିଛନ୍ତି। ସେମାନେ ସମସ୍ତେ ମିଶି ତାଙ୍କୁ ହଇରାଣ ହରକତ କରିବା ସହିତ ବିଭିନ୍ନ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ଆସୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଗୀତାରାଣୀଙ୍କ ପରିବାର ସେହି ଗ୍ରାମର ହୋଇଥିବା ବେଳେ ଗରିବ ଆଦିବାସୀ ଶ୍ରେଣୀର ଅଟନ୍ତି। ମା’ ମୃତ୍ୟୁବରଣ କରିଥିବା ବେଳେ ବାପା ଯାଦବ ନାଏକ ମାନସିକ ରୋଗ ରେ ପୀଡ଼ିତ। ଏଭଳି ଅସ୍ଥାରେ ବାପାଙ୍କ ସହିତ ଛୋଟ ଛୋଟ ଦୁଇଟି ଛୁଆଙ୍କୁ ନେଇ ଗାଁ ସାହିରୁ ମାଗି ଯାଚି ଓଳିଏ ଖାଇ ଓଳିଏ ଉପବାସରେ ରହି ବହୁ କଷ୍ଟରେ ସମସ୍ତଙ୍କୁ ନେଇ ଜୀବନ ଅତିବାହିତ କରୁଥିବା ସେ କାନ୍ଦି କାନ୍ଦି କହିଛନ୍ତି। ସେ ନ୍ୟାୟ ପାଇବା ଆଶାରେ ଟାଉନ ଥାନା ଦ୍ବାରସ୍ଥ ହୋଇଥିଲେ ମଧ୍ୟ କେହି ଶୁଣି ନ ଥିବା ଅଭିଯୋଗ କରିଛନ୍ତି। ଜିଲାପାଳ ସମସ୍ତ ଘଟଣା ଶୁଣି ତୁରନ୍ତ ଏସ୍‌ପିଙ୍କୁ ବିଚାର କରି ନ୍ୟାୟ ପ୍ରଦାନ କରିବାକୁ କହିଛନ୍ତି। ସେ ଅତି ଗରିବ ଆଦିବାସୀ ଶ୍ରେଣୀର ଅସହାୟ ମହିଳା ହୋଇଥିବାରୁ ପାଗଳ ବାପା ଓ ଛୋଟ ଛୋଟ ଦୁଇଟି ଛୁଆକୁ ନେଇ କିପରି ପ୍ରତିପାଳିତ କରିବ ମାନସିକ ଓ ଶାରୀରିକ ଭାବେ ଅକ୍ଷମ ଥିବା କଥା କହିଛନ୍ତି। ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ତାଙ୍କୁ ସରକାରଙ୍କ ତରଫରୁ ସାହାଯ୍ୟ ସହଯୋଗ ପ୍ରଦାନ କରିବାକୁ ନିବେଦନ କରିଛନ୍ତି।