Categories: ଜାତୀୟ

ଭାରତ ପହଞ୍ଚିଲେ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆଣ୍ଟୋନିଓ ଗୁଟେରସ, ମୋଦିଙ୍କୁ କରିବେ ସାକ୍ଷାତ୍‌

ନୂଆଦିଲ୍ଲୀ,୧୯ ।୧୦: ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆଣ୍ଟୋନିଓ ଗୁଟେରସ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତ ପହଞ୍ଚିଛନ୍ତି । ରାଷ୍ଟ୍ରଦୂତ ରୁଚିରା କମ୍ବୋଜ ତାଙ୍କୁ ସ୍ୱାଗତ କରିଛନ୍ତି । ଏହା ଗୁଟେରସଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଭାରତ ଯାତ୍ରା । ବୈଦେଶିକ ମନ୍ତ୍ରଣାଳୟ ତାଙ୍କ ଯାତ୍ରା ସମ୍ପର୍କରେ ସୂଚନା ଦେଇ କହିଛି ସଂଯୁକ୍ତ ରାଷ୍ଟ୍ର ମୁଖ୍ୟ ଗୁଟେରସ ୧୮-୨୦ ଅକ୍ଟୋବର ପର୍ଯ୍ୟନ୍ତ ଭାରତ ଯାତ୍ରାରେ ରହିବେ । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ସାକ୍ଷାତ୍ କରିବେ ।
ଭାରତ ଯାତ୍ରାର ପ୍ରଥମ ଦିନରେ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆଣ୍ଟୋନିଓ ଗୁଟେରସ ମୁମ୍ବାଇର ତାଜମହଲ ପ୍ୟାଲେସ ହୋଟେଲରେ ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ଏହାସହ ସେ ଆଇଆଇଟି ମୁମ୍ବାଇରେ ’୭୫ ବର୍ଷର ଭାରତ: ମିଳିତ ଜାତିସଂଘ-ଭାରତ ସହଭାଗୀତା: ଦକ୍ଷିଣ-ଦକ୍ଷିଣ ସହଯୋଗକୁ ମଜଭୁତ କରିବା’ ପ୍ରସଙ୍ଗରେ ଏକ ଅଭିଭାଷଣ ପ୍ରଦାନ କରିବେ ।
ବୈଦେଶିକ ମନ୍ତଣାଳୟ ପକ୍ଷରୁ ସୂଚନା ଦିଆଯାଇଛି କି ଆଣ୍ଟୋନିୟୋ ଗୁଟେରସ ତାଙ୍କ ଭାରତ ଯାତ୍ରା କ୍ରମରେ ୨୦ ଅକ୍ଟୋବରକୁ ଗୁଜରାଟ ଗସ୍ତରେ ଯିବେ । ସେଠାରେ ସେ କେବଡିୟାରେ ଏକତା ନଗରରେ ମିଶନ ଲାଇଫ ପୁସ୍ତିକା, ଲୋଗୋ ଓ ଏହାର ଟ୍ୟାଗ ଲାଇନ ଲଞ୍ଚ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିବି ତାଙ୍କ ସହ ରହିବେ । ବୈଦେଶିକ ମନ୍ତ୍ରଣାଳୟ ଏହା ବି କହିଛି ଏହା ବ୍ୟତୀତ ସେ ଷ୍ଟାଚ୍ୟୁ ଅଫ ୟୁନିଟିରେ ପହଞ୍ଚି ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇପାରନ୍ତି । ସେଠାରୁ ସେ ମୋଦେରା ଗସ୍ତ କରିପାରନ୍ତି ।

Share