ଜଳବାୟୁର ନରସଂହାର ଦେଖି ସ୍ତବ୍ଧ ହେଲେ ଜାତିସଂଘ ମୁଖ୍ୟ…

ଇସଲାମାବାଦ, ୧୧।୯ : ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିବା ଭୟଙ୍କର ବିନାଶକୁ ଦେଖି ସ୍ତବ୍ଧ ହୋଇଯାଇଛନ୍ତି। ଗୁଟେରସ କହିଛନ୍ତି ଯେ ସେ ଏତେ ବଡ଼ ଜଳବାୟୁ ନରସଂହାର ପୂର୍ବରୁ କେବେ ଦେଖି ନାହାଁନ୍ତି। ସେ କହିଛନ୍ତି, ’ମୁଁ ଦୁନିଆରେ ଅନେକ ମାନବିକ ବିପର୍ଯ୍ୟୟ ଦେଖିଛି, କିନ୍ତୁ ପାକିସ୍ତାନର ଏହି ବନ୍ୟା ପରସ୍ଥିତିି ପରି ଜଳବାୟୁ ନରସଂହାର କେବେ ଦେଖି ନାହିଁ। ଆଜି ମୁଁ ଯାହା ଦେଖିଲି ତାହା ବର୍ଣ୍ଣନା କରିବାକୁ ମୋର କୌଣସି ଶବ୍ଦ ନାହିଁ।

ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ବାଲୁଚିସ୍ତାନ ଏବଂ ସିନ୍ଧର ବନ୍ୟା ପ୍ରଭାବିତ ଅଞ୍ଚଳ ଉପରେ ହୋଇଥିବା ବିମାନ ସର୍ବେକ୍ଷଣରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିବା ବିନାଶ ବିଷୟରେ ଗୁଟେରସଙ୍କୁ ସୂଚନା ଦେଇଛନ୍ତି। ଜାତିସଂଘ ମୁଖ୍ୟ ବନ୍ୟା ଯୋଗୁଁ ହୋଇଥିବା ବିନାଶକୁ କଳ୍ପନା କରାଯାଇ ପାରିବ ନାହିଁ ବୋଲି ବର୍ଣ୍ଣନା କରିଛନ୍ତି।

ପାକିସ୍ତାନକୁ ସାହାଯ୍ୟ କରିବା ପାଇଁ ପଦକ୍ଷେପ ନେବାକୁ ଗୁଟେରସ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଥିଲେ। ସେ ସ୍ବୀକାର କରିଛନ୍ତି ଯେ ମିଳିତ ଜାତିସଂଘ ଏହି ଦେଶରେ ଯାହା କରୁଛି ତାହା କେବଳ ଆବଶ୍ୟକତାର ଏକ ଛୋଟ ଅଂଶ ମାତ୍ର। ଏହା ସମୁଦ୍ରକୁ ଶଙ୍ଖେ ଭଳି। ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଉପରେ ଗମ୍ଭୀର ଆଲୋଚନା ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଜାତିସଂଘର ମୁଖ୍ୟ କହିଛନ୍ତି ଯେ ସେ ଏହି ଦୁଃଖଦ ପରିସ୍ଥିତି ବିଷୟରେ ସଚେତନତା ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଏହି ସମୟରେ ପାକିସ୍ତାନକୁ ସାହାଯ୍ୟ କରିବାକୁ ଆଗେଇ ଆସିବେ ବୋଲି ସେ ନିଶ୍ଚିତ କରିଛନ୍ତି।

Share