ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରିବାକୁ ବୃଦ୍ଧା ଉଷାଙ୍କ ଘୋଷଣା

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଣେ ବୃଦ୍ଧା ନିଜ କୋହଭରା କଣ୍ଠରେ କହିଛନ୍ତି, ନିଜର ଜନ୍ମକଲା ଝିଅପୁଅ ପଚାରିଲେ ନାହିଁ। ପରିଣତ ବୟସରେ ଜୀବନ ବଞ୍ଚାଇବା ଦୁର୍ବିଷହ ହୋଇପଡ଼ିଥିଲା। ଏହି ସମୟରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀସ୍ଥିତ ବରିଷ୍ଠ ନାଗରିକ ନିବାସ ମୋର ସମସ୍ତ ଦାୟିତ୍ୱ ନେଇଥିଲା। ତେଣୁ ମୋର ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରିବି ବୋଲି ଜିଲାର ତରାଣ୍ଡ ଅଞ୍ଚଳର ବୃଦ୍ଧା ଉଷା ନାୟକ (୭୫) କହିଛନ୍ତି।
ରବିବାର ପୂର୍ବାହ୍ନରେ ବରିଷ୍ଠ ନାଗରିକ ନିବାସରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜନପ୍ରତିନିଧି ଓ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ। ଏଠାରେ ଅଞ୍ଚଳର ୨୫ ଜଣ ବୃଦ୍ଧାବୃଦ୍ଧ ଘର ଛାଡି ଅବଶିଷ୍ଟ ଜୀବନ ଆରମ୍ଭ କରିଛନ୍ତି। ହେଲେ ତରାଣ୍ଡର ଉଷାଙ୍କ କହିବା କଥା ନିଜ ଜନ୍ମକଲା ଝିଅପୁଅମାନେ ପଚାରିଲେ ନାହିଁ। ଜିଲା ପ୍ରଶାସନ ସହାୟତାରେ ଏହି ନିବାସରେ ବର୍ଷେ ହେବ ରହି ଆସୁଛି। ଏହି ନିବାସରେ ରହିବା ପରେ ସ୍ବର୍ଗ ସୁଖ ମିଳୁଛି। ପୁଅ ମୋତେ ବୋଝ ଭାବି ଘର ଛାଡ଼ି ନିଜ ଶ୍ୱଶୁର ଘରେ ରହୁଛି। ବାଧ୍ୟ ହୋଇ ଜିଲା ପ୍ରଶାସନର ସହାୟତା ନେଇଥିଲି। ଜିଲା ପ୍ରଶାସନ ପକ୍ଷରୁ ବର୍ଷେ ପୂର୍ବେ ଏହି ବରିଷ୍ଠ ନାଗରିକ ନିବାସରେ ଥଇଥାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବୃଦ୍ଧା ଉଷା କ୍ଷୋଭର ସହ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ପରିଡ଼ାଙ୍କ ଉପସ୍ଥିତିରେ କହିଛନ୍ତି, ମୋର ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରିବା ପାଇଁ ଦୃଢ଼ ନିଷ୍ପତ୍ତି ଗ୍ରହଣ କରିଛି। ମୋର ଅବଶିଷ୍ଟ ଜୀବନ ଏହି ନିବାସରେ ଅତିବାହିତ କରିବି।