ବଲାଙ୍ଗୀର,୨୪ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁମିଆପାଲି ଗଁା ଏବେ ଚର୍ଚ୍ଚାରେ ରହିଛି। ଲୋୟର ସୁକ୍ତେଲ ଡ୍ୟାମ୍ର ଠେଲା ପାଣିରେ ଆଉ ଅଳ୍ପ କିଛି ଦିନ ପରେ ଏଇ ଗଁା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯିବା କୁହାଯାଉଛି। ଏହି ଗଁାର ଆଦିବାସୀମାନେ ଏବେ ବିସ୍ଥାପନ ବିରୋଧରେ ସ୍ବର ଉତ୍ତୋଳନ କରି ଆନ୍ଦୋଳନ କରୁଛନ୍ତି। ଗଁାର ପ୍ରାୟ ୭୦ ପ୍ରତିଶତ ପରିବାର ଗଁା ଛାଡି ପୁନର୍ବାସ କଲୋନୀରେ ରହୁଛନ୍ତି। ଉଚିତ୍ ଥଇଥାନ ଏବଂ କ୍ଷତିପୂରଣ ପାଇନଥିବା ୮୪ ଆଦିବାସୀ ପରିବାର ସହ ଅନ୍ୟ ୨୦ ପରିବାର ଏହି ଗଁାରେ ଏବେ ବି ରହୁଛନ୍ତି। କୁମିଆପାଲି ଗଁାରେ ରହିଥିବା ଆଦିବାସୀ ପରିବାର ଭିତରୁ ଗୋଟିଏ ପରିବାରର ଦୁଃଖ ଓ ଦୁର୍ଦ୍ଦଶା ଅସହ୍ୟ ହୋଇପଡିଛି। ଏହି ପରିବାରର ୩ ଜଣ ସଦସ୍ୟ ମାନସିକ ରୋଗଗ୍ରସ୍ତ ହୋଇଥିବା ବେଳେ ଅନ୍ୟ ଜଣେ ବୃଦ୍ଧା ଦୁର୍ବିସହ ଜୀବନ ବିତାଉଛନ୍ତି। ଏମାନଙ୍କ ସେବାରେ ପରିବାରର ଅନ୍ୟ ସଦସ୍ୟ ମହାଅଡୁଆରେ ପଡିଛନ୍ତି। ଅଧିକାଂଶ ସମୟ ଏହି ପରିବାର କବାଟ ବନ୍ଦ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି।
ପ୍ରକାଶ ଯେ, କୁମିଆପାଲିର ଘନ ବରିହା (୪୫) ଜଣେ ମାନସିକ ରୋଗୀ। ତାଙ୍କ ଦୁଇ ଭଉଣୀ କୁମଦିନୀ (୫୦) ଓ ମହୁଲ (୪୭) ମଧ୍ୟ ମାନସିକ ରୋଗାଗ୍ରସ୍ତ। ଉପଯୁକ୍ତ ଚିକିତ୍ସା ଅଭାବରୁ ଏହି ତିନି ଭାଇଭଉଣୀ ଭାଗ୍ୟକୁ ଆଦରି ପଡି ରହିଛନ୍ତି। ଘନ ବିବାହିତ ଓ ତାଙ୍କ ଦୁଇ ଭଉଣୀ ଅବିବାହିତ। ଘନଙ୍କ ମା’ ଉମା ବରିହା (୭୫) ବାଦ୍ଧକ୍ୟଜନିତ କାରଣରୁ କୁଆଡେ ଯାଇ ନପାରି ଘରେ ପଡିରହିଛନ୍ତି। ଉମାଙ୍କ ତିନି ପୁଅ ହେଲେ ହାଡୁ, ଘନ ଓ ଶତ୍ରୁଘ୍ନ। ୭/୮ ବର୍ଷ ପୂର୍ବରୁ ଉମାଙ୍କ ସ୍ବାମୀଙ୍କ ପରଲୋକ ହୋଇଯାଇଛି। ବୋହୂମାନେ ସମସ୍ତଙ୍କ ଦେଖାଶୁଣା, ଭଲମନ୍ଦ ଦାୟିତ୍ୱ ନେଇଛନ୍ତି। ଉପଯୁକ୍ତ ଚିକିତ୍ସା ଅଭାବରୁ ଏଇ ତିନି ଭାଇଭଉଣୀଙ୍କ ମାନସିକ ରୋଗ ଭଲ ହେଉନାହିଁ। ଅନେକ ସମୟରେ ଏଣେତେଣେ ପଳାଇ ଯାଉଥିବାରୁ ଏମାନଙ୍କୁ ଅଧିକାଂଶ ସମୟରେ ଘରେ କବାଟ ବନ୍ଦ କରି ରଖିବାକୁ ପଡୁଛି। ମଝିଆ ବୋହୂ ବିମଳା କହିଛନ୍ତି, ଠିକ୍ ଚିକିତ୍ସା ହେଉ ନଥିବାରୁ ଏମାନଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଛି। କିଛିବର୍ଷ ପୂର୍ବରୁ ସେମାନେ ବିସ୍ଥାପନ କ୍ଷତିପୂରଣ ବାବଦକୁ କିଛି ଟଙ୍କା ପ୍ରଶାସନ ପାଖରୁ ପାଇଥିଲେ। ସେସବୁ ଏମାନଙ୍କ ଚିକିତ୍ସା ଓ ଖାଇବା ପିଇବାରେ ସରିଗଲାଣି। ଏବେ ସେମାନଙ୍କ ପାଖରେ ଆଉ କିଛି ନାହିଁ। ଏବେ ପ୍ରଶାସନ ଗଁାରୁ ବିସ୍ଥାପିତ କରିବାକୁ ଉଦ୍ୟମ କରୁଛି। ଢ଼ୁଲୁସର ପୁନର୍ବାସ କଲୋନୀକୁ ଏମାନଙ୍କୁ ଯିବାକୁ କୁହାଯାଉଛି। ଏମାନେ କିନ୍ତୁ ସେଠାକୁ ଯିବାକୁ ରାଜି ହେଉନାହାନ୍ତି। କୁମିଆପାଲି ପୁନର୍ବାସ କଲୋନୀରେ ରହିବାକୁ ଚାହୁଛନ୍ତି। ପ୍ରଶାସନ କିଛି ଶୁଣୁନାହିଁ ବୋଲି ମଝିଆ ବୋହୂ ବିମଳା ଓ ସାନବୋହୂ ଉର୍ମିଳା କହିଛନ୍ତି। ଏଠାରୁ ବିସ୍ଥାପନ କରିବା ପୂର୍ବରୁ ମାନସିକ ରୋଗାକ୍ରାନ୍ତ ପରିବାର ସଦସ୍ୟଙ୍କ ଉପଯୁକ୍ତ ଚିକିତ୍ସା କରିବାକୁ ସେମାନେ ପ୍ରଶାସନକୁ ନିବେଦନ କରିଛନ୍ତି।