Categories: ଫୁରସତ

ସେବା ପାଇଁ ସମର୍ପିତ ଥିଲେ ଉମା

ନିଜର ୫ ପୁଅ, ଗୋଟିଏ ଝିଅ ଜନ୍ମ ଦେଇଥିଲେ ସିନା, ଅସୁମାରୀ ଲୋକ ଯେ ତାଙ୍କୁ ମା’ର ଆସନରେ ବସାଇଥିଲେ, ତାହା କେହି କଳ୍ପନା କରି ନ ଥିବେ। ଅଗଷ୍ଟ ୪ ବୁଧବାର ଶ୍ରାବଣ କୃଷ୍ଣ ଏକାଦଶୀରେ ଉମା ନନ୍ଦ ଦୁନିଆରୁ ବିଦାୟ ନେଇଥିଲେ। ଶେଷ ଦର୍ଶନ ପାଇଁ ଆସିଥିବା ପିଲାଠାରୁ ବୁଢୀ ବୁଢା ପର୍ଯ୍ୟନ୍ତ ସମସ୍ତେ ବ୍ୟଥିତ ହୋଇପଡିଥିଲେ।
ଜନ୍ମ ନେଇଥିଲେ ପବିତ୍ର ବାଲି ତୃତୀୟାରେ।  ନାଁ ଦିଆଯାଇଥିଲା ଉମା। ଯାହାଙ୍କ ହାତ ଧରି ବାହା ହୋଇଥିଲେ, ତାଙ୍କ ନାମ ଥିଲା ଉମାକାନ୍ତ, ଯାହାଙ୍କୁ ସମସ୍ତେ କାଳୁ ନନ୍ଦ ନାମରେ ଜାଣନ୍ତି। ନୂଆ ରାଜଧାନୀ ନିର୍ମାଣରେ ସେ ଥିଲେ ଅନ୍ୟତମ ମୁଖ୍ୟ ସ୍ଥପତି। ଉଭୟ ସ୍ତ୍ରୀ ସ୍ବାମୀ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ସୁନ୍ଦରପଦା ଗାଁର ବୋହୂ ହେଲାପରେ ବିରାଟ ପରିବାରର ବୋଝ ଦକ୍ଷତାର ସହିତ ବୋହିନେଲେ ଉମା। ବିଦେଶୀଙ୍କୁ ଆତିଥେୟତା ଦେବାକୁ ଓଡିଶା ସରକାର ତାଙ୍କ ସାହଚର୍ଯ୍ୟ ଲୋଡୁଥିଲେ। ସ୍ଥାନୀୟ ମହିଳାଙ୍କୁ ସଶକ୍ତ କରିବାରେ ତାଙ୍କ ଅବଦାନ ଅତୁଳନୀୟ।
ବୟସର ଅପରାହ୍ନରେ ତାଙ୍କ ସ୍ବାମୀ ଆଖି ବୁଜିଲେ । ଘରର ସବୁ ଦାୟିତ୍ୱ ପଡିଲା ତାଙ୍କ କାନ୍ଧରେ। ଠାକୁର ପୂଜା, ଅତିଥି ଅଭ୍ୟାଗତ ଚର୍ଚ୍ଚାରେ ନିମଗ୍ନ ରହିଲେବି ତାଙ୍କର ପରାମର୍ଶ ଓ ସହଯୋଗ ଲୋଡିବାକୁ ତାଙ୍କୁ ମା’ପରି ମାନୁଥିବା ଲୋକଙ୍କ ଭିଡ କମୁ ନ ଥିଲା କେବେ। କାହାକୁ ବି ପଦେ କଡା ଭାଷାରେ କଥା କହୁ ନ ଥିଲେ। ବଡ଼ ବୋହୂ ତାଙ୍କଠୁ ଶିଖିଲେ ଘର ଚଳାଇବାର କଳା ତ ବଡ଼ ମଝିଆ ରୋଷେଇ କରି ସମସ୍ତଙ୍କୁ ଖୁଆଇବାର କୌଶଳ ଓ ସାନ ତିନି ବୋହୂ ଅତିଥି ଅଭ୍ୟାଗତଙ୍କୁ ଆପ୍ୟାୟିତ କରିବାର ଶୈଳୀ।
ମୋ ବାହାଘର ପାଇଁ ପାତ୍ରୀ ଠିକ୍‌ କରିଥିଲେ ସେ। ଆମ ଘରେ ମନୋନୀତ ହେବାରୁ ବିବାହ ହେଲା। ଅନୁଜ ପ୍ରତିମ ‘ଜୀବନ’ସହ ତାଙ୍କ ଝିଅ ‘ରୀତା’ର ବାହାଘର ପ୍ରସ୍ତାବ ଦେଇଥିଲି ଯାହା ସଫଳ ହୋଇଥିଲା। ଜୀବନ ‘ନାଲକୋ’ ଜେନେରାଲ ମ୍ୟାନେଜର ପଦବୀରୁ ଅବସର ନେଇଛନ୍ତି। ମୁଁ ଚାକିରି କ୍ଷେତ୍ରରୁ ଭୁବନେଶ୍ୱର ଆସିଲେ, ଉମା ମାଉସୀଙ୍କର ଆଶୀର୍ବାଦ ନେଉଥିଲି। ଦଶତୁଠରେ ସ୍ନାନ ତର୍ପଣ କଲାବେଳେ ତାଙ୍କ ବିସ୍ତାରିତ ମାତୃତ୍ତ୍ୱକୁ ଅନୁଭବ କରି ଶୀହରିତ ହେଉଛି।
ହେ ଦୟାମୟ, ଏହି ପୁଣ୍ୟାତ୍ମାଙ୍କୁ କୋଳେଇ ନିଅ, ଏତିକି ପ୍ରାର୍ଥନା।
-ଜାନକୀଶ ବଡ଼ପଣ୍ଡା

Share