ସେଣ୍ଟ୍ରାଲ ହସ୍ପିଟାଲରେ ହୋଇପାରୁନି ଅଲ୍ଟ୍ରାସାଉଣ୍ଡ

ତାଳଚେର, ୨୦ା୮(ନି.ପ୍ର.): ଜିଲା ସ୍ବାସ୍ଥ୍ୟ ବିଭାଗର ଅବହେଳା କାରଣରୁ ତାଳଚେରସ୍ଥିତ ଏମ୍‌ସିଏଲ୍‌ର କେନ୍ଦ୍ରୀୟ ଚିକିତ୍ସାଳୟରେ ଗତ ମେ ମାସରୁ ଅଲ୍ଟ୍ରାସାଉଣ୍ଡ ସେବା ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଫଳରେ ୨୦ ହଜାରରୁ ଅଧିକ ଶ୍ରମିକ ଏବଂ ପାରିପାଶର୍‌ବିକ ଅଞ୍ଚଳବାସୀ ଏହି ସୁବିଧା ପାଇବାରୁ ବଞ୍ଚିତ ହେଉଥିବାରୁ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ଯଥେଷ୍ଟ ସମୟ ପୂର୍ବରୁ ଏମ୍‌ସିଏଲ୍‌ ସେଣ୍ଟ୍ରାଲ ହସ୍ପିଟାଲ କର୍ତ୍ତୃପକ୍ଷ ଅଲଟ୍ରାସାଉଣ୍ଡ ମେଶିନ ନବୀକରଣ ନିମନ୍ତେ ଜିଲା ସ୍ବାସ୍ଥ୍ୟ ବିଭାଗକୁ ଆବେଦନ କରିଥିଲେ। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ପରିଦର୍ଶନ କି ଅନୁଧ୍ୟାନ କରିବାକୁ ସେଣ୍ଟ୍ରାଲ ହସ୍ପିଟାଲ ନ ଆସିବା ସହ ନବୀକରଣ ସାର୍ଟିଫିକେଟ୍‌ ଜାରି କରିନାହାନ୍ତି। ଫଳରେ ଗତ ୩ ମାସ ହେଲା ସେଣ୍ଟ୍ରାଲ ହସ୍ପିଟାଲରେ ରୋଗୀଙ୍କୁ ଅଲଟ୍ରାସାଉଣ୍ଡ ସେବା ମିଳିପାରୁ ନାହିଁ। ଏମ୍‌ସିଏଲ୍‌ ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ବ ଦେଉଥିବାବେଳେ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ସହଯୋଗ ମନୋଭାବ ପୋଷଣ ନ କରାଯିବା ନେଇ ଶ୍ରମିକ ସଙ୍ଗଠନ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଜିଲା ପ୍ରଶାସନ ନବୀକରଣ ସାର୍ଟିଫିକେଟ ଜାରି କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।