ଜେଲେନସ୍କିଙ୍କୁ ୭ ଦିନରେ ୩ ଥର କରାଯାଇଥିଲା ହତ୍ୟା ଉଦ୍ୟମ!

କ୍ୱିଭ,୪ ।୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧର ଆଜି ହେଉଛି ନବମ ଦିନ । ୨୪ ଫେବୃୟାରୀରୁ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିଥିବା ବେଳେ ଏବେ ଏହା ଭୟଙ୍କର ରୂପ ଧାରଣ କଲାଣି । ଇତିମଧ୍ୟରେ ଟାଇମ୍ସ ଅଫ୍ ଲଣ୍ଡନରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି କି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କୁ ୭ ଦିନ ମଧ୍ୟରେ ୩ ଥର ହତ୍ୟା ଉଦ୍ୟମ କରାଯାଇଥିଲେ ବି ଏହା ସଫଳ ହୋଇ ନାହିଁ ।
ରିପୋର୍ଟର ସୂଚନା ଅନୁଯାୟୀ, ଏଥିପାଇଁ ଏହି ହତ୍ୟା ଉଦ୍ୟମ ବିଫଳ ହୋଇଛି କାରଣ ଯୁଦ୍ଧକୁ ବିରୋଧ କରୁଥିବା ରୁଷିଆର ଲୋକେ ୟୁକ୍ରେନ୍ ସରକାରୀ ଅଧିକାରୀଙ୍କୁ ଏହି ଘଟଣା ସମ୍ପର୍କରେ ଗୁପ୍ତ ତଥ୍ୟ ପ୍ରଦାନ କରିଥିଲେ । ରିପୋର୍ଟରେ ଦାବି କରାଯାଇଛି କି ରୁଷିଆର କେତେଜଣ ଲୋକ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଯୋଜନାକୁ ସଫଳ ହେବାକୁ ଚାହୁଁ ନ ଥିଲେ । ସେଥିପାଇଁ ଜେଲେନସ୍କିଙ୍କୁ କରାଯାଉଥିବା ହତ୍ୟା ଉଦ୍ୟମ ସମ୍ପର୍କରେ ଏମାନେ ୟୁକ୍ରେନର ସରକାରୀ ଅଧିକାରୀଙ୍କୁ ସୂଚନା ଦେଇ ଦେଉଥିଲେ ।
ସୂଚନାଯୋଗ୍ୟ, ଏହାପୂର୍ବରୁ ଡେଲି ମେଲର ଏକ ରିପୋର୍ଟରେ ଦାବି କରାଯାଇଥିଲା କି ଜେଲେନସ୍କିଙ୍କ ହତ୍ୟା ପାଇଁ ଆଫ୍ରିକାରୁ ୪୦୦ରୁ ଅଧିକ ସେନାଙ୍କୁ ଭଡାରେ ଆଣିଥିଲା ରୁଷିଆ । ଯେଉଁମାନଙ୍କୁ ୟୁକ୍ରେନ୍ ପଠାଯାଇଥିଲା । ରିପୋର୍ଟରେ ଦର୍ଶାଯାଇଥିଲା କି ପୁଟିନ ୱେଗନରଗ୍ରୁପ ନାମକ ଏକ ପ୍ରାଇଭେଟ ମିଲିସିୟାକୁ ଜେଲେନସ୍କି ଓ ଅନ୍ୟ ୨୩ ସରକାରୀ ଅଧିକାରୀଙ୍କୁ ହତ୍ୟା କରିବାକୁ ୟୁକ୍ରେନ୍ ପଠାଇଥିଲା । ମସ୍କୋ ତା’ର ୟୁରୋପୀୟ ପଡୋଶୀ ଦେଶ ଉପରେ କବଜା କରିବା ଉଦ୍ଦେଶ୍ୟରେ ଏହି ଯୋଜନା କରିଥିଲା ।

Share