ଦୋନବାସରେ ବିଜୟ ଅଭିମୁଖେ ୟୁକ୍ରେନ୍‌, ୨୪ ଘଣ୍ଟାରେ ୨୯ ଥର ଆକ୍ରମଣ କଲାଣି ବାୟୁସେନା

କ୍ୱିଭ,୩ ।୧୦: ୟୁକ୍ରେନର ପୂର୍ବରେ ଦୋନୋସ୍କ ପ୍ରାନ୍ତର ଲାୟମନକୁ ରୁଷିଆ କବଜାରୁ ମୁକ୍ତ କରିବା ପରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଉତ୍ସାହିତ ଜଣାପଡୁଛନ୍ତି । ଲାୟମନକୁ ଦୋନବାସ (ପୂର୍ବ)ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ମୋର୍ଚ୍ଚ ବୋଲି କହି ଜେଲେନସ୍କି କହିଛନ୍ତି, ଏଠାରୁ ରୁଷିଆ ସେନାଙ୍କ ପଳାୟନ ଦର୍ଶାଉଛି ସମ୍ପୂର୍ଣ୍ଣ ଦୋନବାସ ଉପରେ ରୁଷିଆ ସେନା ଦୁର୍ବଳ ହେବାରେ ଲାଗିଛି ଆଉ ୟୁକ୍ରେନ ବିଜୟ ଆଡକୁ ଗତି କରୁଛି । ସୂଚନାଯୋଗ୍ୟ, ରୁଷିଆ ପ୍ରତିରକ୍ଷା ମନ୍ତଣାଳୟର ପ୍ରବକ୍ତା ଇଗୋର କୋନାଶେଂକୋଭ କହିଛନ୍ତି, ରୁଷିଆ ସେନା ରଣନୀତିି ଆଧାରରେ ଲାୟମନ ଛାଡିଛନ୍ତି । ଏଠାରେ ଥିବା ସେନାଙ୍କୁ ଅନ୍ୟ ସ୍ଥାନକୁ ପଠାଯାଇଛି । ଏପଟେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟତମ ବନ୍ଧୁଙ୍କ ମଧ୍ୟରେ ସାମିଲ ଚେଚେନ କମାଣ୍ଡର ରମଜାନ କାଦିରୋବ ପୁଟିନଙ୍କୁ ହାଲକା ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ଲାୟମନରୁ ରୁଷିଆ ସେନା ହଟିବା ଲଜ୍ୟାଜନକ ବିଷୟ ଏଇଥିପାଇଁ କାରଣ ଏହା ଦୋନେସ୍କ ପ୍ରାନ୍ତର ଏକ ଅଂଶ ଯାହା ରୁଷିଆରେ ମିଶି ସାରିଛି ।
ଅନ୍ୟପଟେ ୟୁକ୍ରେନ ସେନା ଗତ ୨୪ ଘଣ୍ଟାରେ ଫାଇଟର ଜେଟ ଦ୍ୱାରା ୨୯ ଆକ୍ରମଣ କରି ସାରିଛି । ଏହି ଆକ୍ରମଣରେ ରୁଷିଆ ସେନାର ଅସ୍ତ୍ରଶସ୍ତ୍ର ଭଣ୍ଡାର, ଆଣ୍ଟି ଏୟାର କ୍ରାପ୍ଟ ମିଶାଇଲ ସିଷ୍ଟମ ଓ କମାଣ୍ଡ ପୋଷ୍ଟ ନଷ୍ଟ ହୋଇଯାଇଛି । ୟୁକ୍ରେନ ଆହୁରି ମଧ୍ୟ ଦାବି କରିଛି ରୁଷିଆ ପକ୍ଷରୁ ୪ ମିଶାଇଲ ଆକ୍ରମଣ ଓ ୧୬ ବିମାନ ଆକ୍ରମଣ କରାଯାଇଛି । ରୁଷିଆ କହିଛି ରବିବାର ଖାର୍କିଭରେ ରୁଷିଆ ସେନା ୟୁକ୍ରେନର ୭ ଅସ୍ତ୍ରଶସ୍ତ୍ର ଭଣ୍ଡାର ନଷ୍ଟ କରିଛି ଯେଉଁଥିରେ ମିଶାଇଲ ଓ ତୋପୋ ଥିଲା ।

Share