ୟୁକ୍ରେନ୍‌ ଯୁଦ୍ଧ ଅନ୍ତର୍ଜାତୀୟ ସମୁଦାୟ ପାଇଁ ଚିନ୍ତାର ବିଷୟ, ୟୁଏନଏସସିରେ ଭାରତର ମତ…

ଜେନେଭା, ୨୮।୯ : ୟୁକ୍ରେନ୍‌ ଯୁଦ୍ଧ ନେଇ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତ ନିଜର ମତ ରଖିଛି। ଭାରତ କହିଛି ଯେ, ଏହା ଅନ୍ତର୍ଜାତୀୟ ସମୁଦାୟ ପାଇଁ ଚିନ୍ତାର ବିଷୟ ପାଲଟିଛି। ମିଳିତ ଜାତିସଂଘର ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ମଙ୍ଗଳବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ୟୁକ୍ରେନ ବିବାଦ ଉପରେ ଭାରତର ପକ୍ଷ ଉପସ୍ଥାପନ କରିଛନ୍ତି।

ରୁଚିରା କାମ୍ବୋଜ କହିଛନ୍ତି ଯେ ୟୁକ୍ରେନ ବିବାଦର ପଥ ଅନ୍ତର୍ଜାତୀୟ ସମୁଦାୟ ପାଇଁ ଘୋର ଚିନ୍ତାର ବିଷୟ। ଶତ୍ରୁତାକୁ ତୁରନ୍ତ ବନ୍ଦ କରିବାକୁ ତଥା ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଏହି ବିବାଦର ସମାଧାନର ଆବଶ୍ୟକତା ଉପରେ ଭାରତ ବାରମ୍ବାର ଆହ୍ବାନ କରୁଛି ବୋଲି ସେ କହିଛନ୍ତି।

କାମ୍ବୋଜ କହିଛନ୍ତି ଯେ ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ଏସସିଓ ଶିଖର ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ମଧ୍ୟ ସ୍ପଷ୍ଟ ଭାବେ କହିଛନ୍ତି। ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେ ବିଶ୍ୱର ବ୍ୟବସ୍ଥା ଅନ୍ତର୍ଜାତୀୟ ଆଇନ, ମିଳିତ ଜାତିସଂଘର ଚାଟର୍ର୍‌ ଏବଂ ଦେଶଗୁଡିକର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ଉପରେ ଆଧାରିତ ହେବା ଉଚିତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନ ବିବାଦକୁ ନେଇ ଭାରତର ଆଭିମୁଖ୍ୟ ମାନବ-କେନ୍ଦ୍ରିତ ହୋଇ ରହିବ, ଆମେ ଆର୍ଥିକ ସଙ୍କଟ ସମୟରେ ୟୁକ୍ରେନକୁ ଏବଂ ବିଶ୍ୱର ଦକ୍ଷିଣରେ ଥିବା ଆମର କିଛି ପଡ଼ୋଶୀଙ୍କୁ ମାନବିକ ସହାୟତା ପ୍ରଦାନ କରୁଛୁ। ଏହା ମଧ୍ୟ ଜାରି ରହିବ।

Share