Categories: ଜାତୀୟ

ଅପରେଶନ ଗଙ୍ଗା: ଆଜି ୧୫ ବିମାନରେ ଉଦ୍ଧାର ହେବେ ୩ହଜାର ଭାରତୀୟ

ନୂଆଦିଲ୍ଲୀ,୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରଣ ହୋଇଛି ୧୦ ଦିନ । ହେଲେ ସ୍ଥିତି ଏବେବି ଅଣାୟତ୍ତ । ୟୁକ୍ରେନ୍ ଉପରେ ରୁଷିଆ ବର୍ଷି ଚାଲିଛି ମିଶାଇଲ, ଗୁଳିଗୋଳା ଓ ବୋମା । ଥରି ଉଠିଛି ୟୁକ୍ରେନ୍ ମାଟି । ଏହାରି ଭିତରେ ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଲଗାତାର ଜାରି ରହିଛି । ଶନିବାର ୟୁକ୍ରେନରେ ଫସି ରହିଥିବା ପ୍ରାୟ ୩ ହଜାର ଭାରତୀୟଙ୍କୁ ଅପରେଶନ ଗଙ୍ଗା ମାଧ୍ୟମରେ ୧୫ଟି ବିମାନରେ ସ୍ୱଦେଶ ଫେରାଇ ଅଣାଯିବାର ବ୍ୟବସ୍ଥା କରାଯାଇଛି । ଏଥିରେ ବାୟୁସେନାର ୪ଟି ବିମାନ ଥିବା ବେଳେ ଅନ୍ୟ ୧୧ଟି ସାଧାରଣ ବିମାନ ରହିଛି । ଏମାନଙ୍କ ମଧ୍ୟରୁ ୧୦ଟି ବିମାନ ନୂଆଦିଲ୍ଲୀରେ ଅବତରଣ କରିବାକୁ ଥିବା ବେଳେ ଗୋଟିଏ ମୁମ୍ବାଇରେ ଅବତରଣ କରିବାର ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ, ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ପଶ୍ଚିମ ପଡୋଶୀ ଦେଶ ରୋମାନିଆ, ହଙ୍ଗେରୀ, ସ୍ଲୋଭାକିୟା ଓ ପୋଲାଣ୍ଡରୁ ବିଶେଷ ବିମାନ ଯୋଗେ ଭାରତ ଫେରାଇ ଅଣାଯାଉଛି । ରୁଷିଆର ଆକ୍ରମଣ ଯୋଗୁ ୟୁକ୍ରେନ ଆକାଶପଥ ୪ ଫେବୃୟାରୀରୁ ବନ୍ଦ ରହିଛି । ଏପଟେ ୟୁକ୍ରେନରେ ଫସି ରହିଥିବା ପ୍ରାୟ ୩,୭୭୨ ଭାରତୀୟଙ୍କୁ ଶୁକ୍ରବାର ୧୪ଟି ବିମନରେ ଉଦ୍ଧାର କରାଯାଇଛି ।

Share