ସେନାଙ୍କ ସହ କଫି ପିଇଲେ ଜେଲେନ୍‌ସ୍କି: ଭିଡିଓ ଭାଇରାଲ

କ୍ୱିଭ,୨୮।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଆଜି ହେଉଛି ପଞ୍ଚମ ଦିନ। ଶକ୍ତିଶାଳୀ ରୁଷିଆ ସୈନ୍ୟଙ୍କ ସମ୍ମୁଖରେ ୟୁକ୍ରେନ ସୈନ୍ୟ ଦୃଢ଼ତାର ସହ ଠିଆ ହୋଇ ଯୁଦ୍ଧ କରୁଛନ୍ତି। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଅନେକ ସମୟରେ ଜେଲେନ୍‌ସ୍କି ନିଜ ଦେଶବାସୀଙ୍କୁ ସମ୍ବୋଧିତ କରି ସେନା ଓ ଜନତାଙ୍କ ମନୋବଳ ବଢ଼ାଉଛନ୍ତି। ୟୁକ୍ରେନ୍‌ର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଜେଲେନ୍‌ସ୍କି ଲଗାତର ଭାବେ ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ତେବେ ନିକଟରେ ଭାଇରାଲ ହୋଇଥିବା ଭିଡିଓରେ ଜେଲେନ୍‌ସ୍କି ମିଲିଟାରୀ କ୍ୟାମ୍ପରେ କେତେକ ସୈନ୍ୟଙ୍କ ସହ ବସି କଫି ପିଉଥିବାର ନଜର ଆସିଛନ୍ତି। ଏହି ଭିଡିଓକୁ ଫେବୃଆରୀ ୨୬ରେ ଶେୟାର କରାଯାଇଥିବା ବେଳେ ମାତ୍ର ୨ଦିନରେ ୪୮ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଥିବା ବେଳେ ଯୁଦ୍ଧ ସମୟରେ ସୈନ୍ୟଙ୍କ ପାଖରେ ରାଷ୍ଟ୍ରପତି ବସିଥିବା ନେଇ ପ୍ରଶଂସା କରାଯାଉଛି। ଏହି ସମୟରେ ସୈନ୍ୟଙ୍କ ମନୋବଳ ବଢ଼ାଇ ରାଷ୍ଟ୍ରପତି ଜେଲେନ୍‌ସ୍କି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହାପୂର୍ବରୁ ସେ ଯୁଦ୍ଧକୁ ଅଧାରେ ଛାଡ଼ି ପଳାୟନ କରିବାକୁ ମନା କରିଦେଇଥିଲେ। ସାଧାରଣ ଜନତାଙ୍କ ସହ ମିଶି ଜେଲେନ୍‌ସ୍କି ରୁଷିଆ ବିରୋଧରେ ଲଢ଼େଇ ଜାରି ରଖିବାକୁ କହି ବିଶ୍ୱର ହୃଦୟ ଜିତିଥିଲେ।

Share