ରୁଷିଆ ସହ ଶାନ୍ତି ବୁଝାମଣା କରିବାକୁ ମନା କଲେ ୟୁକ୍ରେନ ରାଷ୍ଟ୍ରପତି

କିଭ୍‌,୧୯।୮: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୈନ୍ୟ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ରୁଷିଆ ସହିତ କୌଣସି ଶାନ୍ତି ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି। ଜେଲେନସ୍କି ରୁଷିଆ ସହିତ ଶାନ୍ତି ବୁଝାମଣା କରିବାକୁ ମନା କରି ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସୈନ୍ୟ ପ୍ରତ୍ୟାହାର ବିନା ରୁଷିଆ ସହିତ କୌଣସି ଶାନ୍ତି ଆଲୋଚନା ହେବ ନାହିଁ।
ସୂଚନାଯୋଗ୍ୟ, ଦୁଇ ଦେଶ ମଧ୍ୟରେ ପୁଣି ଥରେ ଲଢେଇ ତୀବ୍ର ହୋଇଛି। ଉଭୟ ରୁଷିଆ ଏବଂ ୟୁକ୍ରେନ କ୍ରମାଗତ ଭାବରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ବୁଧବାର ରାତିରୁ ଗୁରୁବାର ସକାଳ ମଧ୍ୟରେ ୟୁକ୍ରେନର ଖାର୍କିଭରେ ରୁଷିଆର ଆକ୍ରମଣରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି।
ଏଥି ସହିତ ମିଳିତ ଜାତିସଂଘ (ୟୁଏନ)ର ମହାସଚିବ ଜେନେରାଲ ଆଣ୍ଟୋନିଓ ଗୁଟେରସ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ତୁର୍କୀର ରାଷ୍ଟ୍ରପତି ରେସେପ୍‌ ଚୟିପ୍‌ ଏର୍ଡୋଗାନ୍‌ଙ୍କୁ ଭେଟିଛନ୍ତି। ୟୁକ୍ରେନରେ ୬ ମାସ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଏହି ୩ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶସ୍ୟ ଯୋଗାଣ ବୃଦ୍ଧି ତଥା ୟୁରୋପର ବୃହତ୍ତମ ଆଣବିକ କାରଖାନାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା।

Share