ୟୁକ୍ରେନ୍‌ ଲୋକେ ଆତଙ୍କିତ: ମାରିଆପୋଲ ଗଣ ହତ୍ୟାକାରୀ ଓ୍ବାଗନର ଗ୍ରୁପରେ ଯୋଗଦେଲେ…

ମସ୍କୋ,୮।୫ : ରୁଷିଆର ପୂର୍ବତନ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ଭାବରେ ବରଖାସ୍ତ ହୋଇଥିବା କର୍ନେଲ ଜେନେରାଲ ମିଖାଇଲ ମିଜିଣ୍ଟସେଭ ୱାଗନର୍‌ ଗ୍ରୁପରେ ଡେପୁଟି କମାଣ୍ଡର ଭାବରେ ଯୋଗ ଦେଇଛନ୍ତି। ଏହାକୁ ନେଇ ପୁଣି ନରସଂହାର ଭୟରେ ୟୁକ୍ରେନ ଲୋକେ ଆତଙ୍କିତ ହୋଇପଡିଛନ୍ତି। ମିଜିଣ୍ଟସେଭଙ୍କୁ ମାରିପୋଲର କଂସେଇ ଅର୍ଥାତ୍‌ ଗଣ ହତ୍ୟାକାରୀ କୁହାଯାଇଥାଏ ।

ତାଙ୍କ ନେତୃତ୍ୱରେ ଗତ ବର୍ଷ ଜୁନ ମାସରେ ରୁଷିଆର ସେନା ୟୁକ୍ରେନର ମାରିଆପୋଲ ସହରରେ ଭୟଙ୍କର ବିନାଶ ଘଟାଇଥିଲା। ତାଙ୍କର ନିଯୁକ୍ତି ଯୋଗୁ ରୁଷିଆ ସୈନ୍ୟ ଏବଂ ୱାଗନର୍‌ ଗ୍ରୁପ ମଧ୍ୟରେ ନୂଆ ବିବାଦ ସୃଷ୍ଟି ହୋଇଛି। ୱାଗନର୍‌ ଗ୍ରୁପ୍ର ପ୍ରତିଷ୍ଠାତା ୟେଭେଗେନି ପ୍ରିଗୋଜିନ କିଛି ଦିନ ପୂର୍ବରୁ କହିଥିଲେ, ୟୁକ୍ରେନର ବାଖମୁଟରେ ଯୁଦ୍ଧ ସମୟରେ ତାଙ୍କ ଯୋଦ୍ଧାମାନେ ରୁଷିଆ ସେନା ପକ୍ଷରୁ ଆବଶ୍ୟକ ଗୁଳିଗୋଳା ପାଉନାହାଁନ୍ତି। ଏହି କାରଣରୁ ତାଙ୍କର ବହୁ ସଂଖ୍ୟକ ଯୋଦ୍ଧାଙ୍କୁ ହତ୍ୟା କରାଯାଉଛି। ଏଭଳି ପରିସ୍ଥିତିରେ ବାଖମୁଟରୁ ତାଙ୍କର ଯୋଦ୍ଧାମାନଙ୍କୁ ପ୍ରତ୍ୟାହାର କରିବା ଛଡା ତାଙ୍କର ଅନ୍ୟ କୌଣସି ବିକଳ୍ପ ନାହିଁ।

ରୁଷିଆର ପ୍ରୋ-ସୋସିଆଲ ମିଡିଆ ଚ୍ୟାନେଲ ଦାବି କରିଛି, କର୍ନେଲ ଜେନେରାଲ ମିଖାଇଲ ମିଜିଣ୍ଟସେଭ ବର୍ତ୍ତମାନ ୟୁକ୍ରେନରେ ୱାଗନର୍‌ ଗ୍ରୁପର ଆକ୍ରମଣର ତଦାରଖ କରିବେ। ଯୁଦ୍ଧ ଖବରଦାତା ଆଲେକ୍ସଜାଣ୍ଡାର୍‌ ସାଇମୋନୋଭ ଟେଲିଗ୍ରାମରେ ଦୁଇଟି ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ୱାଗନର ବ୍ରାଣ୍ଡେଡ ଯୁଦ୍ଧ ଗିୟର ପିନ୍ଧିଥିବା ମିଜିଣ୍ଟସେଭ ଏକ ପ୍ରଶିକ୍ଷଣ ଶିବିର ଏବଂ ବାଖମୁଟରେ ରୁଷିଆ ପୋଷ୍ଟ ପରିଦର୍ଶନ କରୁଥିବା ଦେଖାଯାଇଥିଲା।

ରୁଷିଆର ସୈନ୍ୟବାହିନୀ ଉପରେ ୱାଗନର୍‌ ଗ୍ରୁପ ପ୍ରତିଷ୍ଠାତା ୟେଭେଗେନି ପ୍ରିଗୋଜିନଙ୍କ ଅଭିଯୋଗ ପରେ ଏହି ଫୁଟେଜ ଆସିଛି। ତେବେ ୱାଗନର୍‌ ଗ୍ରୁପ ମୁଖ୍ୟଙ୍କ ଦାବି ଉପରେ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କୌଣସି ପ୍ରତିକ୍ରିୟା ଦେଇ ନାହିଁ।

Share