ହଠାତ୍ ଆକ୍ରମଣରେ ଥରିଲା ରୁଷିଆ, ହଜାରେରୁ ଅଧିକ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ

ମସ୍କୋ,୨୦ା୯: ରୁଷିଆ ଉପରେ ୟୁକ୍ରେନ୍‌ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି । ରୁଷିଆର ଅଧିକାରୀଙ୍କ ଦାବି ଅନୁସାରେ, ବିଭିନ୍ନ ଅଞ୍ଚଳରେ ୧,୧୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌ ଉଡ଼ିଥିଲା। ଏଥିରୁ ପ୍ରାୟ ୪୫୦ଟି ମସ୍କୋ ଦିଗକୁ ଆସିଥିବା ଏବଂ ସେଗୁଡ଼ିକୁ ଧ୍ୱଂସ କରାଯାଇଥିବା ମସ୍କୋ ମେୟର ସର୍ଗେଇ ସୋବ୍ୟାନିନ୍‌ କହିଛନ୍ତି । ରିପୋର୍ଟ ଅନୁସାରେ, ଏହାକୁ ମସ୍କୋ ଉପରେ ଏଯାବତ୍‌ର ସବୁଠାରୁ ବଡ଼ ଡ୍ରୋନ୍‌ ଆକ୍ରମଣ ବୋଲି ରୁଷିଆ କର୍ତ୍ତୃପକ୍ଷ ବର୍ଣ୍ଣନା କରିଛନ୍ତି।

ଆକ୍ରମଣରେ ମସ୍କୋ ଅଞ୍ଚଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଥିବା ଗଭର୍ଣ୍ଣର ଆନ୍ଦ୍ରେଇ ଭୋରୋବ୍ୟୋଭ୍‌ କହିଛନ୍ତି । ମୃତକଙ୍କ ମଧ୍ୟରେ ୭୪ ବର୍ଷୀୟ ଜଣେ ବ୍ୟକ୍ତି ଓ ୪୪ ବର୍ଷୀୟ ଜଣେ ମହିଳା ଅଛନ୍ତି। ମସ୍କୋ ଅଏଲ୍‌ ରିଫାଇନେରୀର ଏକ ଅଂଶ ଏବଂ ଏକ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଥିବା ରୁଷିଆ ଅଧିକାରୀ କହିଛନ୍ତି। ରୁଷିଆରେ ଚାଲିଥିବା ତିନିଦିନିଆ ସଂସଦୀୟ ନିର୍ବାଚନର ରବିବାର ଥିଲା ଶେଷ ଦିନ। ୨୦୨୨ରେ ୟୁକ୍ରେନ୍‌ ଉପରେ ପୂର୍ଣ୍ଣମାତ୍ରାରେ ଯୁଦ୍ଧ ଆରମ୍ଭ ହେବା ପରେ ଏହା ରୁଷିଆର ପ୍ରଥମ ସଂସଦୀୟ ନିର୍ବାଚନ । ଏହି ସମୟରେ ମସ୍କୋ ଉପରେ ଡ୍ରୋନ୍‌ ଆକ୍ରମଣ ହୋଇଛି।

ମେୟର ସୋବ୍ୟାନିନ୍‌ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନକୁ ବାଧା ଦେବା ଉଦ୍ଦେଶ୍ୟରେ ଏହି ଆକ୍ରମଣ ଯୋଜନା କରାଯାଇଥିଲା। ତେବେ ନିର୍ବାଚନ ପ୍ରକ୍ରିୟା ଉପରେ ଏହାର ପ୍ରଭାବ ପଡ଼ିନଥିବା ସେ କହିଛନ୍ତି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଦେଶର ବିଭିନ୍ନ ଅଞ୍ଚଳ ସହ କ୍ରିମିଆ ଏବଂ କଳା ସାଗର ଉପରେ ମୋଟ ୧,୧୧୦ଟି ୟୁକ୍ରେନୀୟ ଡ୍ରୋନ୍‌କୁ ଧ୍ୱଂସ କରାଯାଇଛି। ଅନ୍ୟପକ୍ଷରେ, ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନକ୍ସି କହିଛନ୍ତି ଯେ, ଆକ୍ରମଣରେ ୟୁକ୍ରେନ୍‌ ନିର୍ମିତ ‘ଫ୍ଲେମିଙ୍ଗୋ’ ଓ ‘ପେଲିକାନ୍‌’ ସମେତ ବିଭିନ୍ନ ପ୍ରକାରର ମିସାଇଲ୍‌ ଓ ଡ୍ରୋନ୍‌ ବ୍ୟବହାର ହୋଇଛି । ତାଙ୍କ ଅନୁସାରେ, ତେଲ ଓ ଲଜିଷ୍ଟିକ୍ସ ସହ ଜଡ଼ିତ ଭିତ୍ତିଭୂମିକୁ ଟାର୍ଗେଟ୍‌ କରାଯାଇଥିଲା।

 

Dharitri – Odisha’s No.1 Odia Daily

Share