୨୪ ଘଣ୍ଟାରେ ୟୁକ୍ରେନ୍‌ର ହସ୍ପିଟାଲରେ ଶେଷ ହୋଇଯିବ ଅକ୍ସିଜେନ୍‌

କ୍ୱିଭ୍‌,୨୮।୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନ୍‌ରେ ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ଦେଖାଦେଇଛି। ରାଜଧାନୀ କ୍ୱିଭ୍‌ ସମେତ ସାରା ଦେଶରେ ଅକ୍ସିଜେନ୍‌ ଯୋଗାଣ ସ୍ଥିତି ବିପଜ୍ଜନକସ୍ତରରେ ପହଞ୍ଚତ୍ଛି। ଟ୍ରକ୍‌ ଯୋଗେ ପ୍ଲାଣ୍ଟରୁ ଅକ୍ସିଜେନ ନେଇ ହସ୍ପିଟାଲରେ ପହଞ୍ଚାଇବା ସମ୍ଭବ ହେଉନାହିଁ। କେତେକ ହସ୍ପିଟାଲରେ ଅକ୍ସିଜେନ୍‌ ଶେଷ ହୋଇଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ହସ୍ପିଟାଲରେ ସମାନ ସ୍ଥିତି ଉପୁଜିବାକୁ ଯାଉଛି। ଫଳରେ ହଜାର ହଜାର ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହା ବ୍ୟତୀତ ଅକ୍ସିଜେନ୍‌ ଜେନେରେଟର ଉତ୍ପାଦନକାରୀ କମ୍ପାନୀ ଜିଓଲାଇଟ୍‌ ଅଭାବର ସମ୍ମୁଖୀନ ହୋଇଛନ୍ତି। ବାହାର ଦେଶରୁ ତୁରନ୍ତ ଜିଓଲାଇଟ୍‌ ନିରାପଦର ସହ ଉକ୍ତ ପ୍ଲାଣ୍ଟରେ ପହଞ୍ଚତ୍ବା ଜରୁରୀ ହୋଇପଡ଼ିଛି।

ଅକ୍ସିଜେନ୍‌ ଓ ଜରୁରୀ ମେଡିକାଲ ଯୋଗାଣ ଅଭାବକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରିଏସସ୍‌ ଏବଂ ୟୁରୋପ ପାଇଁ ଏହାର ଆଞ୍ଚଳିକ ନିର୍ଦ୍ଦେଶକ ଡ. ହାନ୍ସ ହେନ୍‌ରି ପି. କ୍ଲୁଗେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜରୁରୀ ଔଷଧ ଓ ଅନ୍ୟାନ୍ୟ ଯୋଗାଣ ନିରାପଦର ସହିତ ପହଞ୍ଚାଇବାକୁ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି। ସଙ୍କଟ ସମୟରେ ମାନବୀୟ ଦାୟିତ୍ୱ ଭାବେ ସ୍ବାସ୍ଥ୍ୟକୁ ସର୍ବାଧିକ ପ୍ରାଥମିକତା ମିଳିବା ଆବଶ୍ୟକ। ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଏବଂ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ସୁରକ୍ଷିତ, କାର୍ଯ୍ୟକ୍ଷମ ରହିବା ସହ ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ଜରୁରୀ। ଏହି ସେବା ସହ ସମ୍ପୃକ୍ତ ସମସ୍ତଙ୍କୁ ସୁରକ୍ଷା ଯୋଗାଇଦେବା ଦରକାର ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସୂଚନା ଦିଆଯାଇଛି।

Share