ମସ୍କୋ,୧୭ା୫: ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍ ରବିବାର ଜୋର୍ଦାର ଡ୍ରୋନ୍ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି। ମସ୍କୋ ଉପକଣ୍ଠ ଖିମ୍କିଠାରେ ୟୁକ୍ରେନ୍ର ଡ୍ରୋନ୍ ମାଡ଼ରେ ଏକ ଘର ଜଳିଯାଉଥିବା ମସ୍କୋ ଆଞ୍ଚଳିକ ଗଭର୍ନର ଆଣ୍ଡ୍ରେଇ ଭୋରୋବ୍ୟେଭ୍ଙ୍କ ସରକାରୀ ଟେଲିଗ୍ରାମ୍ ଚ୍ୟାନେଲ୍ରେ ଛଡ଼ାଯାଇଥିବା ଫଟୋରୁ ଦେଖିବାକୁ ମିଳିଛି।
ଆକ୍ରମଣରେ ଜଣେ ଭାରତୀୟ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଦୂତାବାସ ଅଧିକାରୀମାନେ ଆକ୍ରମଣସ୍ଥଳ ପରିଦର୍ଶନ କରିବା ସହ ହସ୍ପିଟାଲ ଯାଇ ଆହତ ଭାରତୀୟ କର୍ମଚାରୀଙ୍କୁ ଭେଟିଛନ୍ତି।
ସ୍ଥାନୀୟ ଏକ କମ୍ପାନୀ ପରିଚାଳନାରେ କାମ କରୁଥିବା ଭାରତୀୟ କର୍ମଚାରୀଙ୍କ ମୃତ୍ୟୁରେ ଦୂତାବାସ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି। କର୍ମଚାରୀମାନଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷ ଆବଶ୍ୟକ ସହାୟତା ଯୋଗାଇଦେବେ ବୋଲି ଦୂତାବାସ ପକ୍ଷରୁ ଅବଗତ କରାଯାଇଛି।