ଯୁଦ୍ଧ ପାଇଁ ରୁଷିଆ ପ୍ରସ୍ତୁତ: ସ୍ୟାଟେଲାଇଟ୍‌ରୁ ଆସିଲା ଫଟୋ

କ୍ୱିଭ୍‌,୧୫।୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଘନେଇବାରେ ଲାଗିଛି। ୟୁକ୍ରେନକୁ ଆକ୍ରମଣ ପାଇଁ ରୁଷିଆ ଏକପ୍ରକାର ପ୍ରସ୍ତୁତି ଶେଷ କରିଛି। ଗତ ୪୮ ଘଣ୍ଟା ମଧ୍ୟରେ ୟୁକ୍ରେନ ସୀମାରେ ଅତ୍ୟଧିକ ସୈନ୍ୟ ମୁତୟନ କରିଛି ରୁଷିଆ। ସ୍ୟାଟେଲାଇଟ୍‌ରୁ ଏହାର ଫଟୋ ଆସିଛି।
ଯୁଦ୍ଧକୁ ରୋକିବା ଉଦ୍ଦେଶ୍ୟରେ ଆମେରିକା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି । ରାଷ୍ଟ୍ରପତି ଜୋ ବାଇିଡେନ ନିଜେ ପୁଟିନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। ବାଇଡେନ୍‌ ପ୍ରଶାସନ ଅନୁଯାୟୀ, ଯଦି ପୁଟିନଙ୍କ ଆଭିମୁଖ୍ୟ ସକରାତ୍ମକ, ତେବେ ଚଳିତ ସପ୍ତାହ ଶେଷ ସୁଦ୍ଧା କୂଟନୈତିକ ପ୍ରୟାସର ସଫଳତାର ଖବର ଆସିପାରେ। ତେବେ ପରିସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ୟୁକ୍ରେନ ସୀମାରେ ରୁଷିଆର ସମରସଜ୍ଜା ଚାଲିଛି। ରିଷିଆ ଯେକୌଣସି ସମୟରେ ଆକ୍ରମଣ କରିପାରେ ବୋଲି ଭୟ ମଧ୍ୟ ବଢିବାରେ ଲାଗିଛି। ୟୁକ୍ରେନର ରାଷ୍ଟ୍ରପତି ନିଜେ ଫେବୃୟାରୀ ୧୬ରେ ରିଷିଆ ଦ୍ୱାରା ଆକ୍ରମଣ ହେବାର ସମ୍ଭାବନା ପ୍ରକାଶ କରିଛନ୍ତି।
ୟୁକ୍ରେନ ରାଜଧାନୀ କ୍ୱିଭରେ ଏହାକୁ ନେଇ ଘନଘନ କୂଟନୈତିକ ଓ ସାମରିକ ବୈଠକ ଚାଲିଛି। ଆମେରିକୀୟ ଗୁଇନ୍ଦା ସଂସ୍ଥାଙ୍କ ଅନୁସାରେ ୟୁକ୍ରେନ ସୀମାରେ ରୁଷିଆ ୧ ଲକ୍ଷ ୩୦ ହଜାର ସୈନ୍ୟ ଠୁଳ କରିଛି।

Share