ନୂଆଦିଲ୍ଲୀ,୨୮।୧୦:ଉଜ୍ଜ୍ୱଳା ଯୋଜନା ଅଧୀନରେ କନେକ୍ସନ ଧାରକଙ୍କ ମୃତ୍ୟୁ ପରେ ମଧ୍ୟ ପରିବାର ଏହି ଯୋଜନାର ଲାଭ ଉଠାଇ ପାରିବେ। କିନ୍ତୁ ଗ୍ୟାସ କନେକ୍ସନକୁ ପରିବାରର ଯୋଗ୍ୟ ସଦସ୍ୟଙ୍କ ନାମରେ ଟ୍ରାନ୍ସଫର୍ (ହସ୍ତାନ୍ତର) କରାଇବାକୁ ପଡ଼ିବ।
କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (PMUY) ଅଧୀନରେ ଗରିବ ପରିବାରଗୁଡ଼ିକୁ ମାଗଣା ଏଲପିଜି (LPG) ଗ୍ୟାସ ସଂଯୋଗ ଏବଂ ସବସିଡି ପ୍ରଦାନ କରାଯାଏ। କିନ୍ତୁ ଯଦି ଉଜ୍ଜ୍ୱଳା ଯୋଜନାର ମୂଳ ହିତାଧିକାରୀଙ୍କ ମୃତ୍ୟୁ ହୋଇଯାଏ, ତେବେ ସେହି ଗ୍ୟାସ ସଂଯୋଗ ଏବଂ ସବସିଡିର କ’ଣ ହେବ? ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଏହାର ଲାଭ ମିଳିବା ଜାରି ରହିବ କି? ଉଜ୍ଜ୍ୱଳା ଯୋଜନା ଅଧୀନରେ ମୂଳ ସଂଯୋଗ ଧାରକଙ୍କ ମୃତ୍ୟୁ ପରେ ମଧ୍ୟ ପରିବାର ଏହି ଯୋଜନାର ଲାଭ ଉଠାଇ ପାରିବେ, ତେବେ ଗ୍ୟାସ ସଂଯୋଗକୁ ପରିବାରର କୌଣସି ଯୋଗ୍ୟ ସଦସ୍ୟଙ୍କ ନାମରେ ଟ୍ରାନ୍ସଫର୍ କରିବାକୁ ହେବ।
ଉଜ୍ଜ୍ୱଳା ଯୋଜନାର ନିୟମ ଅନୁଯାୟୀ, ମୁଖ୍ୟ ହିତାଧିକାରୀଙ୍କ ମୃତ୍ୟୁ ହେଲେ କନେକ୍ସନକୁ ବନ୍ଦ କରିବାର ଆବଶ୍ୟକତା ନାହିଁ। ପରିବାରର ଅନ୍ୟ କୌଣସି ଯୋଗ୍ୟ ସଦସ୍ୟ କିମ୍ୱା ଆଇନଗତ ଉତ୍ତରାଧିକାରୀଙ୍କ ନାମରେ ଗ୍ୟାସ ସଂଯୋଗକୁ ହସ୍ତାନ୍ତର କରାଯାଇପାରିବ। ଥରେ ସଂଯୋଗ ସଫଳତାର ସହ ଟ୍ରାନ୍ସଫର୍ ହୋଇଗଲା ପରେ, ନୂତନ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସବ୍ସିଡି ରାଶି ପୁଣି ଥରେ ଆସିବା ଆରମ୍ଭ ହୋଇଯିବ।
ଗ୍ୟାସ ସଂଯୋଗକୁ ନିଜ ନାମରେ ଟ୍ରାନ୍ସଫର୍ କରାଇବା ପାଇଁ ପରିବାରର ସଦସ୍ୟଙ୍କୁ ନିଜର ନିକଟସ୍ଥ ଗ୍ୟାସ ଏଜେନ୍ସିକୁ ଯାଇ ଆବେଦନ କରିବାକୁ ପଡ଼ିବ। ଏଥିପାଇଁ:
* ଉଜ୍ଜ୍ୱଳା ଯୋଜନାର ମୂଳ ହିତାଧିକାରୀଙ୍କ ସରକାରୀ ମୃତ୍ୟୁ ପ୍ରମାଣପତ୍ର (Death Certificate)
* ଉତ୍ତରାଧିକାରୀ ପ୍ରମାଣପତ୍ର କିମ୍ୱା ପରିବାରର ସଦସ୍ୟ ଥିବାର ପ୍ରମାଣପତ୍ର
* କେୱାଇସି (KYC) ଦସ୍ତାବିଜ ଭାବରେ ନୂତନ ଆବେଦନକାରୀଙ୍କ ଆଧାର କାର୍ଡ ଏବଂ ଠିକଣା ପ୍ରମାଣପତ୍ର
* ନୂତନ ଆବେଦନକାରୀଙ୍କ ବ୍ୟାଙ୍କ ପାସବୁକ୍ର ଫଟୋକପି, ଯାହାଦ୍ୱାରା ସବ୍ସିଡି ରାଶି ସିଧାସଳଖ ତାଙ୍କ ଖାତାକୁ ଟ୍ରାନ୍ସଫର୍ (DBT ମାଧ୍ୟମରେ) କରାଯାଇ ପାରିବ।
ଦସ୍ତାବିଜ ସହିତ ଆବେଦନକାରୀଙ୍କୁ ଗ୍ୟାସ ଏଜେନ୍ସିରୁ ମିଳୁଥିବା ନାମ ପରିବର୍ତ୍ତନ ଫର୍ମ ପୂରଣ କରି ଜମା କରିବାକୁ ହେବ। ଗ୍ୟାସ କମ୍ପାନୀର ଅଧିକାରୀମାନେ ଏହିସବୁ ଦସ୍ତାବିଜ ଏବଂ ଆବେଦନକାରୀଙ୍କ ଯୋଗ୍ୟତା ଯାଞ୍ଚ କରିବେ। ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଗ୍ୟାସ ସଂଯୋଗ ନୂତନ ସଦସ୍ୟଙ୍କ ନାମରେ ସଫଳତାର ସହ ହସ୍ତାନ୍ତର କରିଦିଆଯିବ।